ପୁରୀ– ପୁରୀ ଜିଲ୍ଲା ପିପିଲି ବ୍ଲକ୍ ଅନ୍ତର୍ଗତ ଦାନଗହିର ଗାଁରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି । ଜିଲ୍ଲାପାଳ ବଲୱନ୍ତ ସିଂହ ଦାନଗହିର, ଜୟପୁର ଓ ଜୟପୁର ଶାସନକୁ ଆବଦ୍ଧ ଅଂଚଳ ଘୋଷଣା କରିଛନ୍ତି । ଗାଁକୁ ସଟ୍ ଡାଉନ୍ ଘୋଷଣା କରିଛନ୍ତି । ଶନିବାର ଅପ୍ରେଲ ୪ ତାରିଖ ସକାଳ ୭ଟାରୁ ଆଗାମୀ ୧୪ ତାରିଖ ରାତି ୧୨ ଟା ପର୍ଯ୍ୟନ୍ତ ୧୧ ଦିନ ପାଇଁ ସଟ୍ ଡାଉନ୍ ଘୋଷଣା କରାଯାଇଛି ।
ଆବଦ୍ଧ ଅଂଚଳକୁ ମଧ୍ୟକୁ କେହି ପ୍ରବେଶ କରିପାରିବେ ନାହିଁ କିମ୍ବା ଗାଁରୁ କେହି ବାହାରକୁ ଯାଇପାରିବେ ନାହିଁ । ଲୋକଙ୍କୁ ଘରୁ ବାହାରିବାକୁ ବାରଣ କରାଯାଇଛି । ଆବଦ୍ଧ ଅଂଚଳକୁ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣର ଦାୟୀତ୍ୱ ଉପଜିଲ୍ଲାପାଳଙ୍କୁ ଦିଆଯାଇଛି । ଉପଜିଲ୍ଲାପାଳଙ୍କ ଅଧିକୃତ ଟିମ୍ ଅତ୍ୟାବଶ୍ୟକ ସାମଗ୍ରୀ ଓ ଔଷଧ ଯୋଗାଇବେ । ସେ ଅଂଚଳର ସମସ୍ତ ଦୋକାନ, ସରକାରୀ ଓ ଘରୋଇ ଅନୁଷ୍ଠାନ ଗୁଡିକ ବନ୍ଦ କରିଦିଆଯାଇଛି ।