
ଭଞ୍ଜନଗର, ଜୟକୃଷ୍ଣ ପଟ୍ଟନାୟକ
ଚାଷୀଟିଏ ବହୁ ସ୍ୱପ୍ନକୁ ମନରେ ସାଇତି ରଖି ଖରା, ବର୍ଷା ଓ ଶୀତ କୁ ଖାତିରି ନକରି ମୁଣ୍ଡ ଝାଳ ତୁଣ୍ଡରେ ମାରି ଚାଷ କାମରେ ଲାଗିପଡ଼ିଥାଏ ତାର ସୁନେଲି ଭବିଷ୍ୟତ କୁ ନେଇ। ହେଲେ କେତେବେଳେ ପ୍ରାକୃତିକ ବିପର୍ଯ୍ୟୟ ତ ଆଉ କେତେବେଳେ ଅନ୍ୟ କିଛି କାରଣ ଯୋଗୁଁ ତାର ସେ ସ୍ୱପ୍ନ ଭାଙ୍ଗି ଚୁରମାର ହୋଇଯାଏ। ସେହିପରି ଏକ ଘଟଣା ସାମ୍ନାକୁ ଆସିଛି।ଗଞ୍ଜାମ ଜିଲ୍ଲା ଭଞ୍ଜନଗର ନିକଟ ବଡ଼ କୋଦଣ୍ଡା ଗ୍ରାମରେ ଜଳସେଚେନ ପାଇଁ ଡ଼ହ କେନାଲ ରହିଥିଲେ ମଧ୍ୟ ପାଣି ଆସୁ ନ ଥିବାରୁ ତାହା ବର୍ତ୍ତମାନ ଶୁଖିଲା ହୋଇ ରହିଛି।ଫଳରେ ଚାଷୀ ମାନଙ୍କର ରବି ଫସଲ ପାଣି ନପାଇ ଶୁଖି ନଷ୍ଟ ହେବାକୁ ବସିଲାଣି।ସେଥିମଧ୍ୟରେ ପ୍ରାୟ ୧୦ ଏକର ଜମିରେ ଲାଗିଥିବା ଚିନା ବାଦାମ, ରାଶି ଓ ଅନ୍ୟାନ୍ୟ ପନିପରିବା ଗଛ ପାଣି ନପାଇ ଶୁଖିଗଲାଣି।ଏସମ୍ପର୍କରେ ଗ୍ରାମର ଚାଷୀମାନେ ଜଳ ସମ୍ପଦ ବିଭାଜନ କାର୍ଯ୍ୟାଳୟ ର ଅଧିକାରୀଙ୍କ ସମେତ ପ୍ରଶାସନ କୁ ବାରମ୍ବାର ଜଣେଇଲେ ମଧ୍ୟ କେହି ଏଥିପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ କରିଛନ୍ତି।ଚାଷୀ ଉପରେ ଗୁରୁତ୍ୱ ନଦେଇ ଡହ ଡ୍ୟାମ ରୁ ପାଣି ନଦୀକୁ ଛଡ଼ା ଯାଉଥିବା ବେଳେ କେନାଲ ରେ ଛଡ଼ା ଯାଉ ନଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଜଣେଇଛନ୍ତି।ତେଣୁ ଫସଲ ନଷ୍ଟ ହେବା ପୂର୍ବରୁ ତୁରନ୍ତ ଏଥିପ୍ରତି ଧ୍ୟାନ ଦେବା ପାଇଁ ଚାଷୀମାନେ ଦାବୀ କରିଛନ୍ତି।