
ବାଲେଶ୍ବର, ୩/୪: (କୃଷ୍ଣ କୁମାର ମହାନ୍ତିଙ୍କ ଠାରୁ)
କରୋନା ଭୂତାଣୁ ସାରା ଦେଶରେ ଭୟର ବାତାବରଣ ସୃଷ୍ଟି କରିଥିଲା ବେଳେ ରାଜ୍ୟ ତଥା ବାଲେଶ୍ବର ସହରରେ ମଧ୍ୟ ଏହାର ପ୍ରଭାବ ପଡ଼ିଛି। ଏହି ଭୟଙ୍କର ଭୂତାଣୁର ସଂକ୍ରମଣରୁ ରକ୍ଷା ପାଇଁ ସମଗ୍ର ଦେଶରେ ‘ଲକ୍ ଡାଉନ୍’ ଘୋଷଣା କରାଯାଇଛି, ଯାହା ସମଗ୍ର ଦେଶ ଏକପ୍ରକାର ମାନିବା ଦେଖିବାକୁ ମିଳିଛି। କିନ୍ତୁ ଏହିପରି ଏକ ଅଚଳାବସ୍ଥାରେ ବହୁ ନିମ୍ନ ବର୍ଗର ଲୋକ ନାନା ଅସୁବିଧାର ସମ୍ମୁଖୀନ ହେଉଥିବା ନଜରକୁ ଆସିଛି। ସମାଜରେ ଏପରି ଲୋକ ଅଛନ୍ତି ଯେଉଁମାନେ ପ୍ରତିଦିନ କିଛି କାମ କରି ନିଜର ପରିବାର ପ୍ରତିପୋଷଣ କରନ୍ତି। ସେମାନଙ୍କ ପାଖରେ ବର୍ତ୍ତମାନ ଅର୍ଥ ନାହିଁ କି ଖାଦ୍ୟ ବି ନାହିଁ। ସୁତରାଂ ବଞ୍ଚିବା ପାଇଁ ସେମାନେ ଏକପ୍ରକାର ଭୋକ ସହ ସଂଗ୍ରାମ କରୁଛନ୍ତି। ବର୍ତ୍ତମାନ ପରିସ୍ଥିତିରେ ଟ୍ରେନ୍ ଚଳାଚଳ ବନ୍ଦ ହୋଇଥିବାରୁ ବାଲେଶ୍ବର ରେଳ ଷ୍ଟେସନ ଉପରେ ନିର୍ଭର କରି ପରିବାରର ଚଳାଉଥିବା ‘ଯାତ୍ରୀ ସହାୟକ’ମାନେ ଏକପ୍ରକାର ଭୋକଉପାସରେ ରହୁଥିବାର ଦେଖାଯାଉଛି। ଲକ୍ ଡାଉନ୍ ଘୋଷଣା ରେଳ ‘ଯାତ୍ରୀ ସହାୟକ’ଙ୍କ ପରିବାର ପାଇଁ ବଡ଼ ବିପତ୍ତି ଆଣିଛି କହିଲେ ଭୁଲ୍ ହେବ ନାହିଁ।
ସେମାନଙ୍କ ଆଥିର୍କ ଅବସ୍ଥାକୁ ଉପଲବଧି କରି ବାଲେଶ୍ବରର ପୂର୍ବତନ ସାଂସଦ ଇଂଜିନିୟର୍ ରବୀନ୍ଦ୍ର କୁମାର ଜେନା ସହାୟତାର ହାତ ବଡ଼ାଇଛନ୍ତି। ଗୁରୁବାର ସକାଳେ ଶ୍ରୀଜେନା ନିଜ ବାସଭବନରେ ‘ଯାତ୍ରୀ ସହାୟକ’ମାନଙ୍କୁ ବିଭିନ୍ନ ଅତ୍ୟାବଶ୍ୟକୀୟ ଖାଦ୍ୟସାମଗ୍ରୀ ବଣ୍ଟନ କରିବାର ବ୍ୟବସ୍ଥା କରିଥିଲେ। ଅଟା, ଚୁଡ଼ା, ଡାଲି, ଆଳୁ, ପିଆଜ, ଚିନି, ବିସ୍କୁଟ ଆଦି ଅତ୍ୟାବଶ୍ୟକ ସାମଗ୍ରୀର ପ୍ୟାକେଟ୍ ପ୍ରସ୍ତୁତ କରାଯାଇ ରେଳ ଷ୍ଟେସନର ଯାତ୍ରୀ ସହାୟକମାନଙ୍କୁ ବିତରଣ କରାଯାଇଥିଲା। ଫଳରେ ସେମାନଙ୍କ ମୁହଁରେ ହସ ଟିକିଏ ଫୁଟାଇବାରେ ସକ୍ଷମ ହୋଇଛନ୍ତି ବିପଦର ବନ୍ଧୁ ତଥା ବାଲେଶ୍ଵରର ପୂର୍ବତନ ସାଂସଦ ଇଂ. ରବୀନ୍ଦ୍ର କୁମାର ଜେନା। ଯେକୌଣସି ବାଧା ଓ ବିପତ୍ତି ବେଳେ ବାଲେଶ୍ଵର ବାସୀଙ୍କ ପାଖରେ ସର୍ବପ୍ରଥମେ ଠିଆ ହୋଇ ସମାଧାନର ପନ୍ଥା ଦେଖାଉଥିବା ଶ୍ରୀ ଜେନାଙ୍କ ଏଭଳି ସହାୟତା ପାଇଁ ଯାତ୍ରୀ ସହାୟକ ଓ ସେମାନଙ୍କ ପରିବାରବର୍ଗ ଗଭୀର କୃତଜ୍ଞତା ଜଣାଇବା ସହ ପ୍ରଶଂସା କରିଥିଲେ।