ମାଲକାନଗିରି– ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ଉନ୍ଦ୍ରୁକୋଣ୍ଡା ପଞ୍ଚାୟତ ଏମଭି -୫୭ ଗ୍ରାମରେ କରୋନା ରୋଗ ସଂକ୍ରମଣ ସମ୍ପର୍କରେ ଜନ ସଚେତନତା କରିବା ପାଇଁ ଯାଇଥିବା ଦୁଇ ଜଣ ସ୍ୱେଚ୍ଛାସେବୀଙ୍କ ଉପରେ ସଂଘବଦ୍ଧ ଆକ୍ରମଣ କରାଯାଇଥିବା ନେଇ କାଲିମେଳା ଥାନାରେ ଅଭିଯୋଗ ହୋଇଛି । ଆହତ ଦୁଇ ଜଣ କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି ହୋଇଛନ୍ତି । ପୋଲିସ ଥାନା କେସ ନମ୍ବର 40/20ରେ ଏକ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ ଚଳାଇଛି ।
ମିଳିଥିବା ସୂଚନା ଅନୁଯାୟୀ, ଲକ୍ ଡାଉନ୍ ଘୋଷଣା ହେବାପରେ ଆଶା କର୍ମୀ ଅଞ୍ଜନା ମଣ୍ଡଳ ତାଙ୍କ ସ୍ୱାମୀ ସନାତନ ବିଶ୍ୱାସଙ୍କ ସହ ଅଙ୍ଗନବାଡି କର୍ମୀ ମୀରାବାଈ ବିଶ୍ୱାସ ଓ ସ୍ୱେଚ୍ଛାସେବୀ ନନ୍ଦଲାଲ ଵାଲା ପ୍ରମୁଖ ଏମଭି-୫ ୭ ଗ୍ରାମକୁ ଯାଇଥିଲେ । ଗାଁ ଲୋକଙ୍କୁ କରୋନା ଠାରୁ କିପରି ଦୂରେଇ ରହିବା ସେ ସମ୍ପର୍କରେ ବୁଝାଉଥିବା ବେଳେ ଗ୍ରାମର ରମେଶ ବିଶ୍ୱାସ, କାର୍ତିକ ବିଶ୍ୱାସ, ରଂଜିତ ବିଶ୍ୱାସ, ସପନ ବିଶ୍ୱାସ, ଅନିମେଶ ବିଶ୍ୱାସ ଓ ତୁହିନ ଢାଲି ନାମକ ୬ ଜଣ ଯୁବକ ସଂଘବଦ୍ଧ ଭାବେ ସେମାନଙ୍କ ଉପରେ ଆକ୍ରମଣ କରିଥିଲେ । ଏଥିରେ ଅଶାକର୍ମୀଙ୍କ ସ୍ୱାମୀ ଓ ସ୍ୱେଚ୍ଛାସେବୀ ଗୁରୁତର ଆହତ ହୋଇଥିଲେ । ସେମାନଙ୍କୁ ଗାଁ ଲୋକଙ୍କ ସହଯୋଗରେ କାଲିମେଳା ମେଡିକାଲରେ ଭର୍ତି କରାଯାଇଛି । ଏହି ଘଟଣା ପରେ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।