ଧର୍ମଶାଳା – ଲକ୍ ଡାଉନର ପ୍ରଭାବରେ ଅନେକ ମାନସିକ ଭିନ୍ନକ୍ଷମାନଙ୍କ ଠାରୁ ଆରମ୍ଭ କରି ଦିନ ମଜୁରିଆ ଓ ଅସହାୟ ଲୋକମାନେ ଏବେ ଭୋକିଲା ପେଟରେ ରହୁଛନ୍ତି । ଏହି ଭୋକିଲା ଲୋକମାନଙ୍କ ପାଖରେ ପହଂଚିଛନ୍ତି ବହୁ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଓ ପୋଲିସ । ଏମାନେ ବିଭିନ୍ନ ସ୍ଥାନମାନଙ୍କରେ ପହଂଚି ସେମାନଙ୍କର ଭଲମନ୍ଦ ବୁଝିବା ସହିତ କରୋନା ସଂପର୍କରେ ସଚେତନ କରିବା ଏବଂ ରନ୍ଧାଖାଦ୍ୟ ଓ ଶୁଖିଲା ଖାଦ୍ୟର ବ୍ୟବସ୍ଥା କରିଛନ୍ତି । ୧୬ନଂ ଜାତୀୟ ରାଜପଥ କଡରେ ରହୁଥିବା କିଛି ଆଦିବାସୀ ବସ୍ତି ନିକଟରେ ବଡଚଣା ଥାନା ଅଧିକାରୀ ଦୀପକ କୁମାର ଜେନା ପହଂଚି ଅସହାୟମାନଙ୍କୁ ରନ୍ଧାଖାଦ୍ୟ ବଂଟନ କରିଥିଲେ । ଏମାନେ ସବୁ ଶ୍ରମିକ ଶ୍ରେଣୀର ଓ ଦିନ ମଜୁରିଆ ହୋଇଥିବାରୁ ମୂଲ ଲାଗି ପେଟ ପୋଷିଥାନ୍ତି । ଏବେ କିନ୍ତୁ କାମ ଧନ୍ଦା ନ ଥିବାରୁ ଓଳିଏ ଖାଇଲେ ଆଉ ଓଳିଏ ଉପବାସ ରହୁଛନ୍ତି । ଏହାକୁ ନଜରରେ ରଖି ଥାନା ଅଧିକାରୀ ଓ ଥାନାର ସମସ୍ତ କର୍ମଚାରୀ ଥାନା ଅଂଚଳର ବିଭିନ୍ନ ଆଦିବାସୀ ବସ୍ତି ଓ ରାଜପଥ କଡରେ ଅସହାୟ ଅବସ୍ଥାରେ ପଡି ରହିଥିବା ଲୋକମାନଙ୍କୁ ରନ୍ଧା ଖାଦ୍ୟ ବଂଟନ କରିଥିଲେ ।
ସେହିପରି ବଡଚଣା ବ୍ଳକ ସୁଙ୍ଗୁଡା ପଂଚାୟତର ନୂଆସୁଙ୍ଗୁଡା ଗ୍ରାମର ହିଜ ମାଜେଷ୍ଟିକ କ୍ଳବ ସହଯୋଗର ହାତ ବଢାଇଛି । ଦୀର୍ଘ ୩ ଦିନ ଧରି କ୍ଳବର ସଦସ୍ୟମାନେ ଚଣ୍ଡିଖୋଲ ଆଖପାଖରେ ରହୁଥିବା ଦିନ ମଜୁରିଆ ଓ ଅସହାୟ, ବିଭିନ୍ନ ଆଦିବାସୀ ବସ୍ତିରେ ରହୁଥିବା ଲୋକ, ଜାତୀୟ ରାଜପଥ ଦେଇ ଯାଉଥିବା ପଥଚାରୀମାନଙ୍କୁ ପ୍ରତିଦିନ ରନ୍ଧାଖାଦ୍ୟ ବଂଟନ କରୁଛନ୍ତି । ପ୍ରୟାସ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଚଣ୍ଡିଖୋଲ ପକ୍ଷରୁ ବଡଚଣା ଓ ଚଣ୍ଡିଖୋଲର ବିଭିନ୍ନ ସ୍ଥାନରେ ଶୁଖିଲା ଓ ରନ୍ଧାଖାଦ୍ୟ ସମ୍ପାଦକ ଭାରତଭୂଷଣ ପଣ୍ଡାଙ୍କ ତତ୍ୱାବଧାନରେ ବଂଟନ କରାଯାଉଛି । ଏହି କାର୍ଯ୍ୟକ୍ରମରେ ବସନ୍ତ କୁମାର ପଲେଇ, ଭବତୋଷ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହି ଖାଦ୍ୟ ସାମଗ୍ରୀ ବଂଟନ କରିଥିବା ବେଳେ ଅନ୍ୟ ଏକ ଅନୁଷ୍ଠାନ ପକ୍ଷରୁ ପ୍ରମୋଦ ଜେନା, ସମରେନ୍ଦ୍ର ମାହାଲା, ହେମଶ ଜେନା ପ୍ରମୁଖ ଛତିଆ ସେବାଶ୍ରମରେ ଅନ୍ତେବାସୀଙ୍କୁ ଖାଦ୍ୟ ବଂଟନ କରିଥିଲେ । ଚଣ୍ଡିଖୋଲସ୍ଥିତ ଚଣ୍ଡିମନ୍ଦିର ଓ ମହାବିନାୟକ ପୀଠରେ ରହୁଥିବା ଶହ ଶହ ମାଙ୍କଡ ମାନଙ୍କ ପାଇଁ ସୋଲାମୁଗ, ବୁଟ ଓ କଦଳୀ ବଂଟନ କରୁଛନ୍ତି । କ୍ଳବର ସଦସ୍ୟ ମାନେ ପ୍ରତିଦିନ ନିଜ ହାତରେ ୨୦୦ରୁ ଉର୍ଦ୍ଧ୍ୱ ଲୋକଙ୍କ ପାଇଁ ରନ୍ଧା ଖାଦ୍ୟ ପ୍ରସ୍ତୁତ କରୁଛନ୍ତି ।