-
ସାମାଜିକ ଦୂରତା ରକ୍ଷା କରି କରୋନାର ମୁକାବିଲା କରିବା ପାଇଁ ଆହ୍ୱାନ
-
ପିଏମ କେୟାର୍ସ ଫଣ୍ଡର ରାଜ୍ୟ ସଂଯୋଜକ ଭାବେ ସୁଦର୍ଶନ ଗୋୟଲଙ୍କୁ ଦାୟୀତ୍ୱ
ଭୁବନେଶ୍ୱର– ବିଶ୍ୱ ମହାମାରୀ କରୋନା ସଂକଟ ବର୍ତମାନ ଚାରିଆଡେ ଯେଉଁ ଅନ୍ଧକାର ବିଛାଇଛି ତାହା ଭିତରେ ଆମକୁ ଆଲୋକ ଏବଂ ଆଶା ଆଡକୁ ନିରବଚ୍ଛିନ୍ନ ଭାବେ ଅଗ୍ରସର ହେବାକୁ ପଡିବ ।ଆଲୋକ ଏବଂ ନିଶ୍ଚିତତା ଦିଗରେ ଅଗ୍ରସର ହୋଇ ଏଭଳି ସଙ୍କଟର ଘନ ଅନ୍ଧକାରକୁ ପ୍ରତିହତ କରିବାକୁ ହେଲେ ଚତୁର୍ଦ୍ଦିଗରେ ବିଜୟର ଆଲୋକ ଖେଲାଇବାକୁ ପଡିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ଆଗାମୀ ରବିବାର ଏପ୍ରିଲ ୫ ତାରିଖ ଦିନ ରାତି ୯ ଟା ସମୟରେ ୯ ମିନଟ ପାଇଁ ଘରର ସମସ୍ତ ବତୀକୁ ଲିଭାଇ ନିଜ ଘର ଦୁଆରେ କିମ୍ବା ବାଲକୋନୀରେ ଦୀପ, ମହମବତୀ, ଟର୍ଚ୍ଚ ବା ମୋବାଇଲ ଫ୍ଲାସ ଲାଇଟକୁ ଜଳାଇବାକୁ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି ।
ଏହା ଦ୍ୱାରା ସମଗ୍ର ଦେଶରେ ଯେଉଁ ଉତ୍ସାହର ଆଲୋକ ସୃଷ୍ଟି ହେବ, ତାହା କରୋନା ସଂକଟର ଅନ୍ଧକାରରୁ ନିଶ୍ଚିତ ଭାବେ ଆମକୁ ମୁକ୍ତି ପ୍ରଦାନ କରିବା ସହ ଏହି ଲଢେଇରେ ଆମର ବିଜୟ ନିଶ୍ଚିତ ହେବ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ଏହା ସହ କରୋନା ମୁକାବିଲା ସଂଗ୍ରାମରେ ଆମେ କିମ୍ବା କେହି ବି ଏକୁଟିଆ ନୁହେଁ ବୋଲି ଆମେ ସଂକଳ୍ପ ନେବା । ଏପ୍ରିଲ ୫ ତାରିଖ ଦିନ ଘରୁ ନବାହାରି ସାମାଜିକ ଦୂରତା ରକ୍ଷାର ଲକ୍ଷ୍ମଣରକ୍ଷାକୁ ଅତିକ୍ରମ ନକରି କରୋନାର ମୁକାବିଲା କରିବା । ଆମେ ସମସ୍ତେ ଏକାଠୀ ହୋଇ କରୋନାକୁ ପ୍ରତିହତ କରିବା ଏବଂ ଭାରତକୁ ବିଜୟୀ କରାଇବା ବୋଲି ଶ୍ରୀ ମହାନ୍ତି ରାଜ୍ୟବାସୀଙ୍କୁ ଆହ୍ୱାନ ଦେଇଛନ୍ତି ।
ଅପରପକ୍ଷରେ ପିଏମ କେୟାର୍ସ ଫଣ୍ଡର ରାଜ୍ୟ ସଂଯୋଜକ ଭାବେ ବିଜେପି ରାଜ୍ୟ କୋଷାଧ୍ୟକ୍ଷ ଶ୍ରୀ ସୁଦର୍ଶନ ଗୋୟଲଙ୍କୁ ଦାୟୀତ୍ୱ ଦିଆଯାଇଛି । ପିଏମ କେୟାର୍ସ ଫଣ୍ଡକୁ ଆପଣ ନିଜର ସାମର୍ଥ୍ୟ ଅନୁଯାୟୀ ଅର୍ଥ ଦାନ କରି ରାଷ୍ଟ୍ର ହିତରେ ନିଜକୁ ସାମିଲ କରିବାକୁ ଶ୍ରୀ ମହାନ୍ତି ନିବେଦନ କରିଛନ୍ତି ।