ବ୍ରହ୍ମପୁର : ଏମ୍କେସିଜି ମେଡିକାଲ କଲେଜ ଓ ହସ୍ପିଟାଲରେ ୨ଦିିନ ହେଲା ନୂଆ ସନ୍ଦିଗ୍ଧ ଆସିନାହାନ୍ତି । ଏମ୍କେସିଜିରେ ୮ଜଣଙ୍କ ସ୍ୱାବ୍ ସଂଗ୍ରହ କରି ଭୁବନେଶ୍ୱର ଆର୍ଏମ୍ଆର୍ସିକୁ ପଠାଯାଇଥିଲା । ୬ଜଣଙ୍କ ରିପୋର୍ଟ ଆସିଛି ଏବଂ ସମସ୍ତ ରିପୋର୍ଟ କରୋନା ନେଗେଟିଭ୍ ବୋଲି କହିଛନ୍ତି ଏମ୍କେସିଜି ଅଧୀକ୍ଷକ ପ୍ରଫେସର ସନ୍ତୋଷ କୁମାର ମିଶ୍ର । ରବିବାର ରାତିରେ ଭୁବନେଶ୍ୱର କର କ୍ଲିନିକ୍ରୁ ଫେରି କୋଦଳା ଅଞ୍ଚଳର ଗୋଟିଏ ପରିବାରର ୩ଜଣ ଆଇସୋଲେସନ୍ରେ ରହିଥିଲେ । ଏମାନଙ୍କ ରିପୋର୍ଟ ନେଗେଟିଭ୍ ରହିଥିବା ସେ କହିଛନ୍ତି । ସୂଚନାଯୋଗ୍ୟ ଭୁବନେଶ୍ୱର କର କ୍ଲିନିକ୍ରେ ରାଜ୍ୟର ୩ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ଏହି କ୍ଲିନିକ୍ ସିଲ୍ କରାଯିବା ସହ ସମସ୍ତ ରୋଗୀ ଓ କର୍ମଚାରୀଙ୍କୁ କ୍ୱାରେଣ୍ଟାଇନ୍ରେ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । କୋଦଳା ଅଞ୍ଚଳର ଜଣେ ଯୁବକ ଏହି କ୍ଲିନିକ୍ରେ ଅସ୍ତ୍ରୋପ୍ରଚାର ହୋଇଥିଲେ । କରୋନା ରୋଗୀ ଚିହ୍ନଟ ହେବା ସମୟରେ ସେ କ୍ଲିନିକ୍ରେ ଚିକିତ୍ସାଧୀନ ଥିଲେ । ବର୍ତ୍ତମାନ ଏମାନଙ୍କ ରିପୋର୍ଟ ନେଗେଟିଭ୍ ଆସିବା ପରେ ଖୁବ୍ଶୀଘ୍ର ଡିସ୍ଚାର୍ଜ କରାଯିବ ବୋଲି ସେ କହିଛନ୍ତି । ଏମ୍କେସିଜିରେ ଥିବା ଆଉ ୩ଜଣଙ୍କ ରିପୋର୍ଟ ମଧ୍ୟ ନେଗେଟିଭ୍ ଆସିଥିବା ବେଳେ ଆଉ ୨ଜଣ ଚିକିତ୍ସାଧୀନ ରହିଛନ୍ତି । ଶୁକ୍ରବାର ଏହି ୨ଜଣଙ୍କ ରିପୋର୍ଟ ଆସିବା ପରେ ଏମାନେ ନେଗେଟିଭ୍ କି ପଜିଟିଭ୍ ଜଣାପଡିବ ।
ମନ୍ଦିର ଖୋଲିବାରୁ ୬ପୂଜକ ଗିରଫ
ରାମନବମୀରେ ବ୍ରହ୍ମପୁର ଶୂନ୍ଶାନ୍ ରହିଥିବା ବେଳେ କିଛି ମନ୍ଦିରରେ ଭକ୍ତଙ୍କ ଭିଡ ଲାଗିଥିଲା । ଲକ୍ଡାଉନ୍ କାରଣରୁ ସବୁ ମନ୍ଦିର ବନ୍ଦ ରହିଥିବା ବେଳେ ଶ୍ରଦ୍ଧାଳୁ ଘରେ ପୂଜାପାଠ କରିଥିଲେ । ସେପଟେ ରାମ ନବମୀ ହୋଇଥିବାରୁ ସବୁ ମନ୍ଦିର ଉପରେ ନଜର ରଖିଥିଲା ପୁଲିସ ଓ ପ୍ରଶାସନ । କୌଣସି ମନ୍ଦିର ଖୋଲିବାକୁ ବାରଣ କରାଯାଇଥିଲା । କେତେକ ମନ୍ଦିରରେ ଭକ୍ତଙ୍କ ଭିଡ଼ ହେବା ଖରବ ଶୁଣି ପୁଲିସ ଚଢ଼ାଉ କରି ବନ୍ଦ କରିଦେଇଥିଲା । ମନ୍ଦିର ଖୋଲି ପୂଜାପାଠ କରିବା ସହ ଶ୍ରଦ୍ଧାଳୁଙ୍କ ଭିଡ଼ କରିଥିବାରୁ ଟାଉନ୍ ଥାନା ପୁଲିସ ୬ଜଣ ପୂଜକଙ୍କୁ ଗିରଫ କରିଥିଲା । ପରବର୍ତ୍ତୀ ସମୟରେ ବ୍ୟକ୍ତିଗତ ମୁଚାଲିକାରେ ଥାନାରୁ ଛଡ଼ାଯାଇଥିବା ଥାନାଧିକାରୀ ସୁରେଶ କୁମାର ତ୍ରିପାଠୀ କହିଛନ୍ତି ।