REPORT-SHIVRAM CHAUDARY
ବ୍ରହ୍ମପୁର: ଲକ୍ଡାଉନ୍ କଟକଣାକୁ ମାନୁନାହାନ୍ତି କେତେକ ଲୋକ । ଦେଶ ଓ ରାଜ୍ୟରେ ସ୍ଥିତି ଗମ୍ଭୀର ହେଉଥିବା ବେଳେ କେତେକ ଲୋକଙ୍କ ପାଇଁ ପ୍ରଶାସନ ବର୍ତ୍ତମାନ ଚିନ୍ତାରେ ପଡ଼ିଛି । କରୋନା ମୁକାବିଲା ପାଇଁ ସମସ୍ତଙ୍କୁ ଘରେ ରହିବାକୁ ଅନୁରୋଧ କରାଯାଉଛି ଏବଂ ସମସ୍ତ ସେବା ଯୋଗାଇବାକୁ ପୁଲିସ ଚେଷ୍ଟା କରୁଛି । କିନ୍ତୁ କିଛି ଲୋକ ବିଭିନ୍ନ ବାହାନା କରି ଘରୁ ବାହାରି ମାର୍କେଟ୍କୁ ଆସୁଛନ୍ତି । ସେମାନଙ୍କ ପାଇଁ ଚିନ୍ତା ବଢ଼ୁଛି । ବାହାରେ ବୁଲିବା ଦ୍ୱାରା କୌଣସି ପ୍ରକାରେ କରୋନା ବ୍ୟାପିପାରେ । ଏବେଠୁ ସତର୍କ ହେବା ଏବଂ ଘରୁ ବାହାରକୁ ନବାହାରିବା ପାଇଁ ଅନୁରୋଧ କରି କହିଛନ୍ତି ବ୍ରହ୍ମପୁର ଏସ୍ପି ପିନାକ ମିଶ୍ର । ବର୍ତ୍ତମାନ ସବୁ ଛକ ଓ ଗଳିକନ୍ଦି ରାସ୍ତାରେ ଗାଡ଼ି ଯାଞ୍ଚ କରିବାକୁ ପୁଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସେ କହିଛନ୍ତି । ଗୁରୁବାର ପୁଲିସ ପକ୍ଷରୁ ଅଧିକ କଟକଣା କରିବା ପରେ ୧୪୭ଟି ଗାଡ଼ି ଜବତ କରାଯାଇଛି । କଟକଣା ଉଲଂଘନକାରୀଙ୍କ ଠାରୁ ଜରିମାନା ମଧ୍ୟ ଆଦାୟ କରାଯାଇଛି । ନୂଆବସ୍ଷ୍ଟାଣ୍ଡ ରୋଡ଼ ମେଡିକାଲ ରାସ୍ତା, ଖ୍ରୀଷ୍ଟିୟାନ ହସ୍ପିଟାଲ୍ ସମ୍ମୁଖ ରାସ୍ତା, କମାପଲ୍ଲୀ ଗୋଇଲୁଣ୍ଡି ରାସ୍ତା, ହିଲ୍ପାଟଣା, ପାଣିଟାଙ୍କି ଛକରେ ବିଭିନ୍ନ ରାସ୍ତାକୁ ବାଉଁଶ ପକାଇ ପୁଲିସ ବ୍ଲକିଂ କରିଛି । ଗୁରୁବାର ଏସ୍ପି ପିନାକ ମିଶ୍ର, ଏଏସ୍ପି ପ୍ରଭାତ କୁମାର ରାଉତରାୟ, ପ୍ରଶାନ୍ତ କୁମାର ମିଶ୍ର, ଏସ୍ଡିପିଓ ବିଷ୍ଣୁ ପ୍ରସାଦ ପତି, ଜୟନ୍ତ କୁମାର ମହାପାତ୍ର ଏବଂ ବିଭିନ୍ନ ଥାନାଧିକାରୀମାନେ ଦିନ ତମାମ୍ ବିଭିନ୍ନ ସାହିରେ ଅଲଗା ଅଲଗା ପାଟ୍ରୋଲିଂ କରିଥିଲେ ।
Related Stories
November 24, 2024
November 24, 2024