ବ୍ରହ୍ମପୁର: ବ୍ରହ୍ମପୁର ସହରର ଲକ୍ ଡାଉନ୍ର ନବମ ଦିନ ଜାରି ରହିଛି । ସହରବାସୀ ଏହାକୁ ପୂର୍ଣ୍ଣ ସମର୍ଥନ ଦେଉଥିବା ବେଳେ କିଛି ଅମାନିଆ ମାନୁ ନାହାଁନ୍ତି । ତେବେ ଲକ୍ ଡାଉନ୍ରେ ଫଶି ରହିଥିବା ଅସହାୟ ଗରିବ ଗୁରୁବାଙ୍କୁ ସୁଖିଲା ରାସନ ସାମଗ୍ରୀ ବିଏମ୍ସି ପକ୍ଷରୁ ଗତ ମଙ୍ଗଳବାର ଠାରୁ ପ୍ରଦାନ କରିବା ଆରମ୍ଭ କରାଯାଇଛି । କମିଶନର ଚକ୍ରବର୍ତ୍ତି ସିଂ ରାଥୋଡଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସ୍ଥାନୀୟ ମିଲିଟାରୀ ଲାଇନ୍ ସ୍କୁଲ ପରିସରରେ ପ୍ୟାକେଟ୍ ପ୍ରସ୍ତୁତ କରାଯାଉଛି । ସହରର ବିଭିନ୍ନ ସଙ୍ଗଠନ ପକ୍ଷରୁ ମିଳିଥିବା ଏହି ସୁଖିଲା ଖାଦ୍ୟକୁ ବଣ୍ଟନ କରାଯାଉଛି । ଏହି ପ୍ୟାକେଟ୍ ପ୍ରସ୍ତୁତି କିପରି ଚାଲିଛି ଓ ଦେଇଥିବା ସଙ୍ଗଠନର କର୍ମକର୍ତ୍ତାଙ୍କ ସହ ଜିଲ୍ଲାପାଳ ତଥା ବିଏମ୍ସି ପ୍ରଶାସକ ବିଜୟ ଅମୃତ କୁଲାଙ୍ଗେ ଓ କମିଶନର ଚକ୍ରବର୍ତ୍ତି ସିଂ ରାଥୋଡ ପ୍ୟାକେଟ୍ ପ୍ରସ୍ତୁତି ସ୍ଥଳକୁ ଯାଇ ତଦାରଖ କରିଥିଲେ । ସହରରେ ବିଭିନ୍ନ ସଙ୍ଗଠନ ପକ୍ଷରୁ ରନ୍ଧା ଖାଦ୍ୟ ପ୍ରସ୍ତୁତକରି ବଣ୍ଟନ କରାଯାଉଥିବା ଯୋଗୁ ସାମାଜିକ ଦୂରତା ରହୁନଥିଲା । ଯାହାଫଳରେ ବିଏମ୍ସି ପକ୍ଷରୁ ଯେଉଁମାନେ ଗରିବ ଲୋକଙ୍କୁ ସହଯୋଗ କରିବା ପାଇଁ ଚାହୁଁଛନ୍ତି ସେମାନେ ସୁଖିଲା ରାସନ ଖାଦ୍ୟ ବିଏମ୍ସିକୁ ପ୍ରଦାନ କରନ୍ତୁ ବୋଲି ଅପିଲ୍ କରାଯାଇଥିଲା । ଏହି ମର୍ମରେ ସହରର ବହୁ ସଙ୍ଗଠନ ବିଏମ୍ସିକୁ ସହାୟତାର ହାତ ବଢ଼ାଇଥିଲେ । ଗୋଟିଏ ଗୋଟିଏ ପ୍ୟାକେଟ୍ରେ ୫କେଜି ଚାଉଳ, ୧କେଜି ଅଟା, ୧କେଜି ସୁଜି, ଡାଲି ଦେଢ଼କିଲୋ, ଆଳୁ ୨କେଜି, ତେଲ ୧ପ୍ୟାକେଟ୍ ରଖି ୧୫ଦିନ ଚଳିବା ଭଳି ରାସନ ସାମଗ୍ରୀ ବଣ୍ଟନ କରାଯାଇଥିଲା । ବିଭିନ୍ନ ସଙ୍ଗଠନ ପକ୍ଷରୁ ଏହି ପ୍ୟାକିଂ କରିବା ପାଇଁ ବିଏମ୍ସିକୁ ସହଯୋଗ କରୁଛନ୍ତି । ବର୍ତ୍ତମାନ ୧୦ହଜାର ପ୍ୟାକେଟ୍ ଦେବାକୁ ବିଭିନ୍ନ ସଙ୍ଗଠନ ପକ୍ଷରୁ ବିଏମ୍ସିକୁ ସହମତି ପ୍ରଦାନ କରିଥିବା କମିଶନର ସୂଚନା ଦେଇଛନ୍ତି । ଦ୍ୱିତୀୟ ଦିନରେ ୧, ୪, ୧୧ ନମ୍ବର ୱାର୍ଡ ଓ ସନ୍ଧ୍ୟାରେ ସହରର ବିଭିନ୍ନ ଅଞ୍ଚଳରେ ଥିବା ଅସହାୟ ଓ ନିରାଶ୍ରୟଙ୍କୁ ପ୍ରାୟ ୨୫୦୦ରୁ ଊର୍ଦ୍ଧ୍ୱ ଏହି ସୁଖିଲା ରାସନ ପ୍ୟାକେଟ୍ ବିଭିନ୍ନ ସଙ୍ଗଠନ ସହାୟତାରେ ବିଏମ୍ସି କର୍ତ୍ତୃପକ୍ଷ ବଣ୍ଟନ କରିଥିଲେ ।
Related Stories
November 24, 2024
November 24, 2024