-
୨ଗାଡି ସହ ୧୦ରୁ ଊର୍ଦ୍ଧ୍ୱ ଅଗ୍ନିଶମ ଓ ବିଏମ୍ସି କର୍ମଚାରୀ ନିୟୋଜିତ
ବ୍ରହ୍ମପୁର: କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ଠାରୁ ଆରମ୍ଭକରି ଜିଲ୍ଲା ଓ ଜିଲ୍ଲାସ୍ତରରେ ସଚେତନତାମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି । ଲୋକଙ୍କ ଜନଜୀବନ ସୁରକ୍ଷାକୁ ସରକାର ଅଧିକ ଗୁରୁତ୍ୱ ଦେଉଥିବା ବେଳେ ବ୍ରହ୍ମପୁର ବିଏମ୍ସି କର୍ତ୍ତୃପକ୍ଷ ଏଥିରୁ ବାଦ୍ ପଡିନାହାଁନ୍ତି । କମିଶନର ଚକ୍ରବର୍ତ୍ତି ସିଂ ରାଥୋଡଙ୍କ ନେତୃତ୍ୱରେ ସହରର ଜନଗହଳିପୂର୍ଣ୍ଣ ଯଥା ବ୍ୟବସାୟିକସ୍ଥଳ ବିଶେଷକରି ପରିବା ବଜାର, ଗ୍ରୋସେରୀ ବଜାର ଓ ମେଡିକାଲ୍ ଓ ଅତ୍ୟାବଶ୍ୟକୀୟ ସ୍ଥଳ ଓ ରାସ୍ତାକୁ ବିଶୁଦ୍ଧିକରଣ କରିବା ପାଇଁ ଯୋଜନା ଆରମ୍ଭ ହୋଇଥିଲା । ପ୍ରଥମ ଦିନରେ ୨ଟି ଗାଡି ସହାୟତାରେ ଅଗ୍ନିଶମ ବାହିନୀ କମାଣ୍ଡେ ଓ ବିଏମ୍ସି କର୍ମଚାରୀଙ୍କ ମିଳିତ ଭାବେ ସହରର ବିଭିନ୍ନ ଅଞ୍ଚଳରେ ସିଞ୍ଚନ କରିଥିବା ବେଳେ ଦ୍ୱିତୀୟ ଦିନରେ ଏମ୍କେସିଜି ମେଡିକାଲ୍ କଲେଜ ଓ ହସ୍ପିଟାଲ ପରିସରରେ ଅଗ୍ନିଶମ ବିଭାଗର ୨ଟି ଗାଡି ସହାୟତାରେ ସୋଡିୟମ୍ ହାଇଡ୍ରୋ କ୍ଲୋରାଇଡ୍ ବ୍ୟବହାର କରାଯାଇ ସିଞ୍ଚନ କରାଯାଇଥିଲା । ସହରର ଜନବହୁଳ ଅଞ୍ଚଳ ରାସ୍ତାରେ ମଧ୍ୟ ବିଶୁଦ୍ଧିକରଣ କରାଯିବ । ଆସନ୍ତା ଦିନମାନଙ୍କରେ ଅଗ୍ନିଶମ ବିଭାଗର ଅଧିକ ଗାଡି ଓ କର୍ମଚାରୀ ବିନିଯୋଗ କରାଯିବ । ନିଗମର ଏଭଳି ନିଷ୍ପତ୍ତିକୁ ସହରବାସୀ ପ୍ରଶଂସା କରିଥିଲେ । ଅଗ୍ନିଶମ ବିଭାଗର ସହକାରୀ ଅଗ୍ନିଶମ ଅଧିକାରୀ ସନାତନ ମହାପାତ୍ର ଏହି ବିଶୋଧନ କାର୍ଯ୍ୟକ୍ରମର ନେତୃତ୍ୱ ନେଉଛନ୍ତି । ଗଞ୍ଜାମସ୍ଥିତ ଗ୍ରାସୀମ ଇଣ୍ଡଷ୍ଟ୍ରି ପକ୍ଷରୁ ୧୫୦ଲିଟର ସୋଡିୟମ୍ ହାଇଡ୍ରୋ କ୍ଲୋରାଇଡ୍ ଅଣାଯାଇଛି । ୧୦୦ଲିଟର ପାଣିରେ ଗୋଟିଏ ଲିଟର ସୋଡିୟମ୍ କେମିକାଲ୍ ମିଶାଇ ବିଶୋଧନ କରାଯାଉଥିବା ସେ କହିଛନ୍ତି ।