ନୂଆଦିଲ୍ଲୀ– କୋଭିଡ୍-୧୯ରେ ଦେଶରେ ମୃତକ ସଂଖ୍ୟା ୪୧ରୁ ୫୦କୁ ବୃଦ୍ଧି ଘଟିଛି । ଅନ୍ୟପଟେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢିବାରେ ଲାଗିଛି । ବିଶେଷ କରି ମହାରାଷ୍ଟ୍ର ଓ ତାମିଲନାଡୁରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଉଦବେଗଜନକ ଭାବେ ବଢିବାରେ ଲାଗିଛି । ଗୁରୁବାର ସକାଳ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୧୯୬୫ରେ ପହଁଚିଛି । ଏଥିରୁ ୫୧ ସଂକ୍ରମିତ ବିଦେଶୀ ନାଗରିକ । ଅନ୍ୟପଟେ ଆଶ୍ୱସ୍ତିକର କଥା ଏହା ଯେ, ୧୫୧ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ଅନ୍ୟପଟେ ମହାରାଷ୍ଟ୍ରରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୩ ହୋଇଛି । ଏଠାରେ କରୋନା ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢିବାରେ ଲାଗିଛି । ଅଦ୍ୟାବଧି ଏହି ରାଜ୍ୟରୁ ୩୩୫ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ ତାମିଲନାଡୁରେ ମଧ୍ୟ କରୋନା ମାମଲା କ୍ଷୀପ୍ର ଗତିରେ ବଢିବାରେ ଲାଗିଛି । ଏଠାରେ ଏ ପର୍ଯ୍ୟନ୍ତ ୨୩୪ କେସ୍ ସାମ୍ନାକୁ ଆସିଛି । ଅନ୍ୟପଟେ ମଧ୍ୟ ପ୍ରଦେଶରେ କରୋନାରେ ଏ ପର୍ଯ୍ୟନ୍ତ ୬ ଜଣଙ୍କ ମୃତ୍ୟୁ ଘଟିଛି । ଝାରଖଣ୍ଡ ଓ ଆସାମରେ ମଧ୍ୟ କରୋନା କାୟା ମେଲାଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମୁତାବକ ଏ ପର୍ଯ୍ୟନ୍ତ ଦେଶର ୨୯ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳରେ କରୋନା ସଂକ୍ରମିତ ଚିହ୍ନଟ ହୋଇ ସାରିଲେଣି ।
ରାଜ୍ୟଗୁଡିକରେ କରୋନା ରୋଗୀ ସଂଖ୍ୟା
ଆଣ୍ଡାମାନ ଓ ନିକୋବର- ୧୦, ଆନ୍ଧ୍ର ପ୍ରଦେଶରେ ୮୬, ଆସାମରେ ୧, ଛତିଶଗଡରେ ୯, ଦିଲ୍ଲୀରେ ୧୫୨, ଗୋଆରେ ୫, ଗୁଜରାଟରେ ୮୨, ହରିୟାଣାରେ ୪୩, ହିମାଚଳ ପ୍ରଦେଶରେ ୩, ଝାରଖଣ୍ଡରେ ୧, କର୍ଣ୍ଣାଟକରେ ୧୧୦, କେରଳରେ ୨୬୫, ମଧ୍ୟ ପ୍ରଦେଶରେ ୯୯, ମହାରାଷ୍ଟ୍ରରେ ୩୩୫, ମଣିପୁରରେ ୧, ମିଜୋରାମରେ ୧, ଓଡିଶାରେ ୫, ପୁଡୁଚେରୀରେ ୩, ପଞ୍ଜାବରେ ୪୬, ରାଜସ୍ଥାନରେ ୧୦୮, ତାମିଲନାଡୁରେ ୨୩୪, ତେଲଙ୍ଗାନାରେ ୯୬, ଚଣ୍ଡିଗଡରେ ୧୬, ଜାମ୍ମୁ ଓ କାଶ୍ମୀରରେ ୬୨, ଲଦାଖରେ ୧୩, ଉତର ପ୍ରଦେଶରେ ୧୧୩, ଉତରାଖଣ୍ଡରେ ୭, ପଶ୍ଚିମବଙ୍ଗରେ ୩୭ କେସ୍ ସାମ୍ନାକୁ ଆସିଛି ।