ପୁରୀ– ଆଜି ରାମ ନବମୀ ଅବସରରେ ରଥକାଠ ଚିରଟର ପରମ୍ପରା ରହିଥିବାରୁ ଏବଂ କଟକ ଖପୁରିଆ ସ- ମିଲ୍ ରେ ଏହି କାଠ ଚିରଟ ଅନୁକୂଳ କରାଯିବାର ଥିବାରୁ ପୁରୀରୁ ମାଳ ମାହାର୍ଦ୍ଦ କଟକ ପଠାଯାଇଛି । ଏକ ଟିମ୍ ଏହି ମାଳ ମାର୍ହାଦ ନେଇ କଟକ ଅଭିମୁଖେ ଯାତ୍ରା କରିଛନ୍ତି । ଏହି ଟିମ୍ କଟକରେ ପହଂଚିବା ପରେ ଶ୍ରୀମନ୍ଦିରରୁ ସାଙ୍ଗରେ ନେଇଥିବା ମାଳ ମାହାର୍ଦ୍ଦ, ଶ୍ରୀଜୀଉଙ୍କ ଶ୍ରୀଅଙ୍ଗ ଲାଗି ଖଣ୍ଡୁଆ ପାଟ, ଧୂପ, ଦୀପ, ପତନି, ନଡ଼ିଆ ଓ ପୂଜା ସାମଗ୍ରୀ ନେଇ ବୈଦିକ ବିଧି ମତେ ସମିଲ୍ ଠାରେ କାଠ ସହ ଯନ୍ତ୍ରାଂଶକୁ ପୂଜାର୍ଚ୍ଚନା କରିବେ ବ୍ରାହ୍ମଣ । ଏହା ପରେ ରଥ ନିର୍ମାଣ ନେଇ ୧ ୨ ଫୁଟିଆ ୩ ଖଣ୍ଡ ଧଉରା କାଠ ଚିରଟ ଅନୁକୂଳ ହେବ । ଏହି ଟିମ୍ ରେ ଶ୍ରୀମନ୍ଦିର ମୁଖ୍ୟ ତତ୍ୱାବଧାରକ ସୁଦର୍ଶନ ମେକାପ, ରଥ ଅମିନ ଲକ୍ଷ୍ମଣ ମହାରଣା ଓ ଜଗନ୍ନାଥ ଟେମ୍ପୁଲ ପୋଲିସ (ଜେଟିପି) ରାମଚନ୍ଦ୍ର ମହାରଣା ଯାଇଛନ୍ତି । ଚଳିତ ମାସ ୨୬ ତାରିଖରେ ଅକ୍ଷୟ ତୃତୀୟା ଅବସରରେ ତିନି ରଥର ନିର୍ମାଣ କାର୍ଯ୍ୟ ରଥଖଳାରେ ଶୁଭାରମ୍ଭ ହେବ ।
ପ୍ରଥମ ପର୍ଯ୍ୟାୟରେ ତୁମ୍ବ ନିର୍ମାଣ ହେବ । ତୁମ୍ବରେ ଲାଗିଥିବା ଅର ଓ ପହି ପ୍ରଥମେ ସ ମିଲ୍ ରୁ ଚିରଟ ହୋଇ ରଥ ଖଳାକୁ ଆସିବ । ଏହା ଆସିବା ପରେ ତିନି ରଥର ୪୨ ଟି ଚକ ନିର୍ମାଣ କରାଯିବ । ଆଜି ରଥ କାଠ ଚିରଟ ଅନୁକୂଳ ହେବା ପରେ ଚଳିତ ବର୍ଷ ରଥଯାତ୍ରା ପାଇଁ ରଥ ନିର୍ମାଣର ଅୟଂ ଆରମ୍ଭ ହେବ ।
ଗତକାଲି ନୟାଗଡ଼ ବନଖଣ୍ଡରୁ ୮ ଖଣ୍ଡ ଫାସୀ କାଠ ଟ୍ରକ୍ ଯୋଗେ ଶ୍ରୀକ୍ଷେତ୍ରରେ ଆସି ପହଂଚିଥିଲା । ରଥ ନିର୍ମାଣ ନିମନ୍ତେ ଆଉ ୫୩୯ ଖଣ୍ଡ କାଠର ଆବଶ୍ୟକତା ରହିଥିବା ବେଳେ ବିଭିନ୍ନ ପର୍ଯ୍ୟାୟରେ ପୁରୀକୁ ରଥ କାଠ ଆସିବା ପ୍ରକ୍ରିୟା ଜାରୀ ରହିଛି ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ତିନି ରଥ ନିର୍ମାଣ ପାଇଁ ସମୁଦାୟ ୮୬୫ ଖଣ୍ଡ ରଥ କାଠ ଆବଶ୍ୟକ ହୋଇଥାଏ ।