ନୂଆଦିଲ୍ଲୀ– ଦିଲ୍ଲୀରେ ଘଟିଥିବା ଦଙ୍ଗାକୁ ନେଇ ଯାଂଚ କରୁଥିବା ସ୍ପେଶାଲ ସେଲ୍୍ ଜାମିଆର ଏକ ଛାତ୍ର ମିରାନ ହାଇଦରକୁ ଗିରଫ କରିଛି । ଛାତ୍ର ଜଣକ ଜାମିଆରେ ପିଏଚଡି କରୁଛନ୍ତି । ସେ ବିହାରର ସିବାନାର ବାସିନ୍ଦା ପୋଲିସ୍ ଅନୁଯାୟୀ ମିରାନ ବିରୋଧରେ ଦଙ୍ଗା ପାଇଁ ଷଡଯନ୍ତ୍ର ରଚିଥିବାର ସାକ୍ଷ୍ୟ ପ୍ରମାଣ ମିଳିବା ପରେ ଗିରଫ କରାଯାଇଛି ।
ରାଜଧାନୀରେ ହୋଇଥିବା ଦଙ୍ଗାକୁ ନେଇ କ୍ରାଇମ ବ୍ରାଂଚ ମାମଲା ରୁଜୁ କରିଥିଲା । ଏହା ପରେ ତଦନ୍ତ ଭାର ସ୍ପେଶାଲ ସେଲକୁ ହସ୍ତାନ୍ତର କରାଯାଇଥିଲା । ଏହି ଘଟଣାରେ ସ୍ପେଶାଲ୍ ସେଲ୍ ଛାନଭିନ୍ ସମୟରେ ଜାମିଆରୁ ପିଏଚଡି କରୁଥିବା ଛାତ୍ର ମିରାନକୁ ନୋଟିସ୍୍ ଦେଇ ବୁଧବାର ପଚରା ଉଚୁରା ପାଇଁ ଡକାଇଥିଲେ । ନୋଟିସ୍ ମିଳିବା ପରେ ମିରାନ ଲୋଧୀ କଲୋନୀ ସ୍ଥିତ ସ୍ପେଶାଲ ସେଲ୍୍ ଦପ୍ତର ପହଁଚିଥିଲା । ଜେରା ପରେ ପୋଲିସ୍ ତାଙ୍କୁ ଗିରଫ କରିଛି ।
ଗିରଫଦାରୀ ନେଇ ଛାତ୍ର ଅସନ୍ତୁଷ୍ଟ
ମିରାନ ହାଇଦରର ଗିରଫଦାରୀକୁ ନେଇ ଛାତ୍ର ଗୋଷ୍ଠୀ ଅସନ୍ତୁଷ୍ଟ ପ୍ରକାଶ କରିଛି । ସେମାନେ ଆରୋପ ଲଗାଇଛନ୍ତି ଯେ, ଯେବେ ଦେଶରେ କରୋନା ସଙ୍କଟ ଲାଗି ରହିଛି ସେହି ସମୟରେ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ଛାତ୍ରଙ୍କୁ ହଇରାଣ କରୁଛନ୍ତି । ତାଙ୍କୁ ମିଥ୍ୟା ମାମଲାରେ ଫସା ଯାଇଛି । ମିରାନକୁ ଛାଡି ଦେବାକୁ ସେମାନେ ଦାବି କରିଛନ୍ତି ।