REPORT- SHIVRAM CHAUDHARY
ବ୍ରହ୍ମପୁର: ସହରରେ ଲକ୍ ଡାଉନ୍ର ଅଷ୍ଟମ ଦିନ ଥିବାବେଳେ ସାହି ଗଳିକନ୍ଦିରେ ଚୋରା ମଦ ବିକ୍ରି ମଧ୍ୟ ଆରମ୍ଭ ହୋଇଛି । ଲକ୍ ଡାଉନ୍ ପରେ ସବୁ ମଦ ଦୋକାନକୁ ବନ୍ଦ କରିବା ପାଇଁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା । ତେବେ ସିଲ୍ ନହେବା କାରଣରୁ ମଦ ଦୋକାନର ପଛପଟୁ ମଦ ବ୍ୟବସାୟୀମାନେ ଖୁଲମ୍ ଖୁଲା ମଦ ବ୍ୟବସାୟ କରୁଥିବା ଜଣାପଡିଛି । ଏହି ମର୍ମରେ ବ୍ରହ୍ମପୁର ଏସ୍ପି ପିନାକ ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ବଡବଜାର ଓ ଟାଉନ୍ ଥାନା ପୋଲିସ ବିଭିନ୍ନ ଜାଗାରେ ଚଢ଼ାଉକରି ୪ଜଣଙ୍କୁ ଗିରଫକରି ବୁଧବାର କୋର୍ଟଚାଲାଣ କରିଛି । ସେମାନଙ୍କ ଠାରୁ ବହୁ ପରିମାଣର ଚୋରା ଦେଶୀ ଓ ବିଦେଶୀ ମଦ ଜବତ କରାଯାଇଥିବା ଏସ୍ଡିପିଓ ବିଷ୍ଣୁପ୍ରସାଦ ପତି ସୂଚନା ଦେଇଛନ୍ତି । ବଡବଜାର ଥାନା କେଶ୍ ନମ୍ବର ୬୭/୨୦ ଅନୁସାରେ ବଡବଜାର ଥାନା ସମ୍ମୁଖରେ ଥିବା ଡଲ୍ଫିନ୍ ବାରର ମାଲିକଙ୍କ ପୁଅ ଅବିନାଶ କୁମାର ପାତ୍ର(୨୮) ଓ ତାଙ୍କ ସହଯୋଗୀ ଗଣପତି ନଗରର ଗଗନବିହାରୀ ସାହୁ(୨୮)ଙ୍କୁ ଗିରଫ କରାଯାଇଛି । ସେମାନଙ୍କ ଠାରୁ ଗୋଟିଏ ବାଇକ୍ ଜବତ କରିଥିବା ଜଣାପଡିଛି । ୧୮୦ଏମ୍ଏଲ୍ର ୧୯୨ଟି ମଦ ବୋତଲ ଜବତ କରାଯାଇଥିବା ଜଣାପଡିଛି । ସେହିପରି ଟାଉନ୍ ଥାନା କେଶ୍ ନମ୍ବର ୫୭/୨୦ରେ ଏକ ମାମଲା ରୁଜୁକରି ୧୨ଲିଟର ମଦ ଜବତ କରାଯାଇ ଭାପୁର ବଜାରର ଦେବରାଜ ସେଠୀଙ୍କୁ ଗିରଫ କରାଯାଇଥିବା ଜଣାପଡିଛି । ସେହିପରି କେଶ୍ ନମ୍ବର ୫୮/୨୦ରେ ୧୩ଲିଟର ମଦ ଜବତ କରି ଦଳୁଆ ସାହିର ମୁନା ସେଠୀକୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଥିବା ଥାନାଧିକାରୀ ସୁରେଶ କୁମାର ତ୍ରିପାଠୀ ସୂଚନା ଦେଇଛନ୍ତି ।