REPORT-SHIVRAM CHAUDHERY
ବ୍ରହ୍ମପୁର: ବ୍ରହ୍ମପୁର ସହରରେ ଲକ୍ ଡାଉନ୍ର ୭ଦିନ ବିତିଯାଇଥିଲେ ମଧ୍ୟ କିଛି ଅମାନିଆ ବ୍ୟବସାୟୀ ଓ ଅମାନିଆ ଲୋକେ ପ୍ରଶାସନ ନିର୍ଦ୍ଦେଶକୁ ବେଖାତିର କରିଛନ୍ତି । ଜିଲ୍ଲା ପ୍ରଶାସନ, ନିଗମ ଓ ପୋଲିସର କଟକଣା ଓ କାର୍ଯ୍ୟାନୁଷ୍ଠାନ ପରେ ମଧ୍ୟ ସହରରେ ବଜାର ମାନଙ୍କରେ ଭିଡ ଦେଖିବାକୁ ମିଳିଛି । ବୁଧବାର ଦିନ କମାପଲ୍ଲୀ ଆମିଷ ବଜାରରେ ଅତ୍ୟଧିକ ଭିଡ ଦେଖି ପ୍ରଶାସନ ଚିନ୍ତାରେ ରହି ଶେଷରେ କାର୍ଯ୍ୟାନୁଷ୍ଠାନ ନେବାକୁ ପଡିଛି । ତେଣୁ ଏହାକୁ ବନ୍ଦ କରାଯାଇଛି । ଲକ୍ ଡାଉନ୍ କାରଣରୁ ସହର ଶୂନଶାନ ରହୁଥିବା ବେଳେ ଆମିଷ ବଜାରରେ ପ୍ରବଳ ଭିଡ ଜମୁଥିଲା । କୌଣସି କଟକଣାକୁ ଗ୍ରାହକ ଓ ଦୋକାନୀ ମାନୁ ନଥିଲେ କି ସାମାଜିକ ଦୂରତା ବଜାଇ ରଖୁନଥିଲେ । ଯାହାଫଳରେ ବୁଧବାର କମିଶନର ଚକ୍ରବର୍ତ୍ତି ସିଂ ରାଥୋଡଙ୍କ ନିର୍ଦ୍ଦେଶକ୍ରମେ ଏମ୍ଫୋର୍ସମେଣ୍ଟ ଅଫିସ୍ର ତରୁଣକାନ୍ତ ଆମିଷ ବଜାରକୁ ସିଲ୍ କରିଥିଲେ । ପୂର୍ବରୁ ଏଭଳି ସ୍ଥିତି ଉପୁଜିବାରୁ ଗେଟ୍ବଜାର ଆମିଷ ବଜାରକୁ ମଧ୍ୟ ସିଲ୍ କରାଯାଇଥିଲା ।
ରିଲିଫ୍ ବଣ୍ଟନରେ ବାଧା ସୃଷ୍ଟି କରିବାରୁ ପୂର୍ବତନ କର୍ପୋରେଟର ନାମରେ ମାମଲା ରୁଜୁ
ଗତ ମଙ୍ଗଳବାର ସନ୍ଧ୍ୟାରେ ୧୨ନମ୍ବର ୱାର୍ଡ ଅନ୍ତର୍ଗତ ପୂର୍ଣ୍ଣବାସୀ କଲୋନୀରେ ସହରବାସୀଙ୍କ ପକ୍ଷରୁ ଦିଆଯାଉଥିବା ରାସନ ସାମଗ୍ରୀକୁ ବିଏମ୍ସି କର୍ତ୍ତୃପକ୍ଷଙ୍କ ପକ୍ଷରୁ ବଣ୍ଟନ କରାଯିବା ବେଳେ ସେଥିରେ ବାଧା ଉପୁଜିଥିଲା । ଲକ୍ ଡାଉନ୍ କଟକଣାକୁ ଉଲ୍ଲଂଘନକରି ପୂର୍ବତନ କର୍ପୋରେଟର ବିରେନ ପଟ୍ଟନାୟକ ବଣ୍ଟନ କାର୍ଯ୍ୟରେ ବାଧା ଉପୁଜାଇଥିବାରୁ ବିଏମ୍ସି କର୍ତ୍ତୃପକ୍ଷ ବ୍ରହ୍ମପୁର ଏସ୍ପିଙ୍କୁ ଚିଠି ଲେଖି ମାମଲା ରୁଜୁ କରିବାକୁ ଅନୁରୋଧ କରିଛନ୍ତି । ଚିଠି ନମ୍ବର ୪୨୧୨ରେ କମିଶନର ଶ୍ରୀ ରାଥୋଡ ଉଲ୍ଲେଖ କରିଛନ୍ତି ଯେ, ମଙ୍ଗଳବାର ସନ୍ଧ୍ୟାରେ ପୂର୍ଣ୍ଣବାସୀ କଲୋନୀରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମିଳିଥିବା ରେସନ ସାମଗ୍ରୀ ଯଥା ରିଲିଫ୍ ବଣ୍ଟନ କରିବା ସମୟରେ ବିରେନ ବାଧା ସୃଷ୍ଟି କରିବା ସହ ବଣ୍ଟନ କରୁଥିବା ବିଏମ୍ସି କର୍ମଚାରୀଙ୍କ ଠାରୁ ଛଡାଇନେଇ ନିଜେ ବଣ୍ଟନ କରିଥିଲେ । ରାଜ୍ୟ ସରକାର ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପ୍ରକାରେ ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଉ ବୋଲି କମିଶନର ଏସ୍ପିଙ୍କୁ ଚିଠି ମାଧ୍ୟମରେ ଜଣାଇଛନ୍ତି ।