-
୨୭୩ ଗାଡି ଧରା ହୋଇଥିବା ବେଳେ ୧୨୮ଟି ଗାଡିର ଚାଲାଣ ହୋଇଛି
REPORT-SHIVRAM CHAUDHARY
ବ୍ରହ୍ମପୁର : ଲକ୍ ଡାଉନ୍ କଟକଣାକୁ ଉଲ୍ଲଂଘନ କରିବା ନେଇ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ବାରମ୍ବାର ସତର୍କ କରାଯାଉଥିଲେ ମଧ୍ୟ ଅମାନିଆ ଗାଡି ଚାଳକମାନେ ଏହି ମର୍ମରେ ସହରରେ ପୋଲିସ ପକ୍ଷରୁ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏସ୍ପି ପିନାକ ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ସହରର ବିଭିନ୍ନ ଥାନା ଇଲାକାରୁ ୨୭୩ଟି ମୋଟର ସାଇକେଲ୍କୁ ଅଟକ ରଖାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । କିଛି ଗାଡିକୁ ଜବତକରି ଥାନାରେ ଅଟକ ରଖାଯାଇଥିବା ବେଳେ ଆଉ କେତେକ ଗାଡିର ଚାଲାଣ କାଟିବା ପାଇଁ ପଠାଯାଇଛି । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ସାମାଜିକ ଦୂରତା ବଜାଇ ରଖିବା ସହ ମୋଟର ସାଇକେଲ୍ ଯାନକୁ ରାସ୍ତାକୁ ନ କାଡିବା ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି । ତେବେ କିଛି ଅମାନିଆ ଗାଡି ଚାଳକ ଏହା ମାନୁନାହାଁନ୍ତି । ତେଣୁ ଧନଜୀବନର ସୁରକ୍ଷା ପାଇଁ ପୋଲିସ ଏଭଳି ପଦକ୍ଷେପ ନେଇଥିବା ଏସ୍ପି ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି । ସହରର ସବୁ ରାସ୍ତାକୁ ବ୍ଲକ୍ କରାଯାଇଥିଲା । ହେଲେ ମଧ୍ୟ ଗଳାବାଟ ଦେଇ ବଜାରକୁ ଆସିଥିବା ଟାଉନ୍ ଥାନା ଅଞ୍ଚଳରୁ ୯୫ଟି ଗାଡି ଜବତ କରାଯାଇଥିବା ବେଳେ ୨ଜଣଙ୍କୁ ଅଟକ ରଖାଯାଇଛି ।ସେହିପରି ବୈଦ୍ୟନାଥପୁର ଥାନାରେ ୧୨୮ଟି ଗାଡିର ଫଟୋ ଉଠାଇ ଚାଲାଣ ପାଇଁ ପଠାଯାଇଥିବା ବେଳେ ୨୪ଟି ଗାଡିକୁ ଜବତ କରାଯାଇଛି । ଗୋଷାଣୀନୂଆଁଗା ଥାନା ଅଞ୍ଚଳରେ ୧୬ଟି ଗାଡି ଜବତ ହୋଇଥିବା ବେଳେ ୧୨ଜଣଙ୍କ ବିରୋଧରେ ୨ଟି ମାମଲା ରୁଜୁ ହୋଇଛି । ସେହିପରି ବଡବଜାର ଥାନାରେ ୧୦ଟି ଗାଡି ଜବତ କରାଯାଇଥିବା ଏସ୍ଡିପିଓ ବିଷ୍ଣୁପ୍ରସାଦ ପତି ସୂଚନା ଦେଇଛନ୍ତି ।
କରୋନା ମୁକାବିଲା ନେଇ ସାଂସଦଙ୍କ ସହାୟତା ପ୍ରଦାନ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ଆସିକା ସାଂସଦ ପ୍ରମିଳା ବିଷୋୟୀ କୋଭିଡ-୧୯ର ମୁକାବିଲା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଆର୍ଥିକ ସହାୟତା ଯୋଗାଇଛନ୍ତି । ଶ୍ରୀମତୀ ବିଷୋୟୀ ୩ଲକ୍ଷ ଟଙ୍କାର ଚେକ୍ ଏଥିନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପ୍ରଦାନ କରିଛନ୍ତି । ଆସିକା ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ଭିତ୍ତିଭୂମିର ବିକାଶ ସହ କୋଭିଡ-୧୯ର ମୁକାବିଲା ନିମନ୍ତେ ସାଂସଦ ଉନ୍ନୟନ ପାଣ୍ଠିରୁ ୧କୋଟି ଟଙ୍କାର ବ୍ୟବବରାଦ ଅନୁମୋଦନ କରି ଗଞ୍ଜାମ ଜିଲ୍ଲାପାଳଙ୍କୁ ପ୍ରଦାନ କରିବା ନିମନ୍ତେ ସାଂସଦ ଉନ୍ନୟନ ପାଣ୍ଠିର ନିର୍ଦ୍ଦେଶକ ନୂଆଦିଲ୍ଲୀକୁ ପତ୍ର ପ୍ରେରଣା କରିଥିବା ଜଣାଯାଇଛି ।