
ଭୋପାଳ- ଦେଶର ଅନ୍ୟ ରାଜ୍ୟ ପରି ମଧ୍ୟ ପ୍ରଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଦେଖୁ ଦେଖୁ କିଛି ଦିନରେ ସଂକ୍ରମିତଙ୍କ ସଂଖ୍ୟା ୮୬କୁ ବୃଦ୍ଧି ଘଟିଛି । ରାଜ୍ୟରେ ସବୁଠୁ ଅଧିକ କରୋନା ପ୍ରଭାବିତ ଜିଲ୍ଲା ହେଉଛି ଇନ୍ଦୋର । ରାଜ୍ୟରେ କରୋନା ଭାଇରସ୍୍ ସଂକ୍ରମଣର ୨୦ ନୂତନ ମାମଲା ସାମ୍ନାକୁ ଆସିଛି । ଏଥିରୁ ଏକାକୀ ୧୯ ରୋଗୀ ଇନ୍ଦୋରର । ଏଥିରେ ତିିନି ଜଣ ଶିଶୁ ସାମିଲ । ଇନ୍ଦୋରରେ ଏବେ ସୁଦ୍ଧା ମିଳିଥିବା କରୋନା ସଂକ୍ରମିତଙ୍କ ସଂଖ୍ୟା ସମଗ୍ର ରାଜ୍ୟରେ ମୋଟ୍ ଭାଇରସ୍୍ ସଂକ୍ରମିତର ପ୍ରାୟ ୭୫ ପ୍ରତିଶତ ରହିଛି ।
ସଦ୍ୟତମ ସୂଚନା ଅନୁଯାୟୀ, ଇନ୍ଦୋରରେ ୬୩, ଜବଲପୁରରୁ ୮, ଉଜ୍ଜୈନର ୬, ଭୋପାଳର ୪ ଏବଂ ଶିବପୁରୀ ଏବଂ ଗ୍ୱାଲିୟରରୁ ୨-୨ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଏବେ ସୁଦ୍ଧା କରୋନା ମୃତକଙ୍କ ସଂଖ୍ୟା ୬ରେ ପହଂଚିଛି । ମୃତକଙ୍କ ମଧ୍ୟରେ ଇନ୍ଦୋରରୁ ୩ ଏବଂ ଉଜ୍ଜୈନ ସହରରୁ ୨ ଓ ଖରଗୋନର ଏକ ୬୫ ବର୍ଷୀୟ ବୃଦ୍ଧ ସାମିଲ ।
ଉଲ୍ଲେଖନୀୟ ମଧ୍ୟ ପ୍ରଦେଶର ଆର୍ଥିକ ରାଜଧାନୀ ମିନି ମୁମ୍ବାଇ କୁହାଯାଉଥିବା ଇନ୍ଦୋରରେ କ୍ରମାଗତ କରୋନା ଭାଇର ସଂକ୍ରମଣ ମାମଲା ବଢିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଆଇନ କାନୁନ ବ୍ୟବସ୍ଥା କଠୋର କରିଛନ୍ତି । ଲୋକଙ୍କୁ ବାହାରକୁ ବାହାରିବା ଉପରେ ପ୍ରତିବନ୍ଧକ ଲଗାଯାଇଛି ।