

ପୁରୀ– ନୟାଗଡ଼ ବନଖଣ୍ଡରୁ ୮ ଖଣ୍ଡ ଫାସୀ କାଠ ଆଜି ସକାଳେ ଟ୍ରକ୍ ଯୋଗେ ଶ୍ରୀକ୍ଷେତ୍ରରେ ଆସି ପହଂଚିଛି । ଏହି କାଠ ରଥର ତୁମ୍ବ ନିର୍ମାଣରେ ବ୍ୟବହୃତ ହେବ । ଆସନ୍ତାକାଲି ରାମ ନବମୀ ଅବସରରେ କଟକ ଖପୁରିଆ ସ- ମିଲ୍ ରେ କାଠ ଚିରଟ କରାଯିବାର ପରମ୍ପରା ରହିଛି । ଅପ୍ରେଲ୍ ୨୬ ତାରିଖ ଅକ୍ଷୟ ତୃତୀୟା ଦିନ ରଥଖଳାରେ ତିନି ରଥ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ ହେବ ।
ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ପୂର୍ବରୁ ଗତ ସୋମବାର ଦିନ ୨୧ ଖଣ୍ଡ ବିଭିନ୍ନ ସାଇଜ୍ ର କାଠ ଦଶପଲ୍ଲାରୁ ଟ୍ରକ୍ ଯୋଗେ ଆସିଥିଲା । ଏହି ୨୧ ଖଣ୍ଡ କାଠ ମଧ୍ୟରୁ ୨୦ ଫୁଟିଆ ଅସନ କାଠ ୯ ଖଣ୍ଡ, ୧୨ ଫୁଟିଆ ଅସନ କାଠ ୬ ଖଣ୍ଡ ଓ ୨୦ ଫୁଟିଆ ଧଉରା କାଠ ୬ ଖଣ୍ଡ ରହିଥିଲା ।
ଗତ ଶ୍ରୀପଂଚମୀ ଦିନ ପ୍ରଥମ ପର୍ଯ୍ୟାୟ ରଥ କାଠ ଅନୁକୂଳ ହୋଇଥିଲା । ଅକ୍ଷୟ ତୃତୀୟ ଅବସରରେ ତିନି ରଥର ନିର୍ମାଣ କାର୍ଯ୍ୟ ଶୁଭାରମ୍ଭ ହେବ । ତିନି ରଥ ନିର୍ମାଣ ପାଇଁ ସମୁଦାୟ ୮୬୫ ଖଣ୍ଡ ରଥ କାଠ ଆବଶ୍ୟକ ହୋଇଥାଏ । ଶ୍ରୀ ମନ୍ଦିର ପ୍ରଶାସନ ନିକଟରେ ୧୯୩ ଖଣ୍ଡ କାଠ ଗତ ବର୍ଷ ଠାରୁ ବଳକା ରହିଛି । ଆଉ ୬୭୨ ଖଣ୍ଡ କାଠ ଆବଶ୍ୟକ ହେଉଛି । ସେଥିମଧ୍ୟରୁ ୨ଟି ପର୍ଯ୍ୟାୟରେ ୧୦୪ ଖଣ୍ଡ ଓ ୨୧ ଖଣ୍ଡ କାଠ ଏପରି ମୋଟ୍ ୧୨୫ ଖଣ୍ଡ ଓ ଆଜି ୮ ଖଣ୍ଡ ଫାସୀ କାଠକୁ ମିଶାଇ ୧୩୩ ଖଣ୍ଡ କାଠ ଇତିମଧ୍ୟରେ ରଥଖଳାରେ ପହଂଚି ସାରିଛି । କାଠ ରଥ ଖଳାରେ ପହଂଚିଛି । ଆଉ ୫୩୯ ଖଣ୍ଡ ବିଭିନ୍ନ ପର୍ଯ୍ୟାୟରେ ରଥଖଳାରେ ପହଂଚିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ସୂତ୍ରରୁ ପ୍ରକାଶ ।