ନୂଆଦିଲ୍ଲୀ– ସରକାର କରୋନା ଭାଇରସ୍ ସଙ୍କଟର ମୁକାବିଲା ପାଇଁ ପିଏମ କେୟାର୍ସ ଫଣ୍ଡରେ ଦିଆଯାଉଥିବା ଚାନ୍ଦା ଉପରେ ଆୟକରରେ ୧୦୦ ପ୍ରତିଶତ ଛାଡ କରିବାକୁ ଘୋଷଣା କରିଛନ୍ତି । ଏହି ଘୋଷଣାକୁ ଅଧ୍ୟାଦେଶ ଜରିଆରେ ଆଇନର ରୂପ ଦିଆଯିବ । ଏହା ବ୍ୟତୀତ ଏହି ସଙ୍କଟ ସମୟରେ କରଦାତା ଏବଂ ବ୍ୟବସାୟୀଙ୍କୁ ଆୟକର, ଜିଏସଟି ରିଟର୍ଣ୍ଣ ଭରିବା, ଆୟକରରେ ଛାଡ ଦେବା ଓ ସୀମା ଶୁଳ୍କ ଏବଂ ଉତ୍ପାଦ କର ସହିତ ବିଭିନ୍ନ ନିବେଶ ଓ ଅର୍ଥ ପୈଠ ମାମଲାରେ ଛାଡ ଦେବାକୁ ସରକାର ଅଧ୍ୟାଦେଶ ଜାରି କରିଛନ୍ତି ।
ରାଷ୍ଟ୍ରପତି ରାମନାଥ କୋବିନ୍ଦ କଳାଧନ ଓ ଅନ୍ୟ ଆଇନ ଅଧ୍ୟାଦେଶ ୨୦୨୦କୁ ମଙ୍ଗଳବାର ମଞ୍ଜୁରୀ ମଧ୍ୟ ଦେଇଛନ୍ତି । ଏହି ଅଧ୍ୟାଦେଶ ଜରିଆରେ ପିଏମ କେୟାର୍ସ ଫଣ୍ଡରେ ଯୋଗଦାନ ଉପରେ ୧୦୦ ପ୍ରତିଶତ ଛାଡ ଦେବାକୁ ପ୍ରାବଧାନ ରହିଛି । ଏହି ଅଧ୍ୟାଦେଶ ଜାରି ହେବା ପରେ ଆର୍ଥିକ ବର୍ଷ ୨୦୧୮-୧୯ର ଆୟକର ରିଟର୍ଣ୍ଣ ଭରିବାର ସମୟ ସୀମାକୁ ୨୦୨୦ ମାର୍ଚ୍ଚ ୩୧କୁ ବଢାଇ ଜୁନ ୩୦ କରିବା ଏବଂ ପାନକୁ ଆଧାର ସହ ସଂଯୋଗ କରିବାର ଅନ୍ତିମ ତାରିଖ ମଧ୍ୟ ତିନି ମାସ ବଢାଇ ଜୁନ ୩୦ କରାଯାଇଛି ।
ଏହା ସହିତ ଆୟକର ଆଇନ ଅଧ୍ୟାୟ ୬ ଏବି ଆଧାରରେ ଧାରା ୮୦ ସି, ୮୦ ଡି, ୮୦ ଜି ଯାହା ଆଧାରରେ କ୍ରମଶଃ ବୀମା ପଲିସି, ପିପିଏଫ, ରାଷ୍ଟ୍ରୀୟ ସଂଚୟ ପତ୍ର ଆଦି ଯେପରି ଚିକିତ୍ସା ବୀମା ପ୍ରିମିୟମ ଓ ଦାନ ଆଦିରେ କରାଯାଉଥିବା ନିବେଶ ଉପରେ ଟିକସ୍ ଛାଡ କରାଯାଇଛି । ନିବେଶଙ୍କ ପାଇଁ ସମୟ ସୀମା ୨୦୨୦ ଜୁନ ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଅଧ୍ୟାଦେଶ ଜରିଆରେ ମାର୍ଚ୍ଚ, ଏପ୍ରିଲ ଓ ମେ ମାସରେ ଦିଆଯାଉଥିବା ଉତ୍ପାଦ ଶୁଳ୍କ ରିଟର୍ଣ୍ଣ ୨୦୨୦ ଜୁନ ୩୦ ପର୍ଯ୍ୟନ୍ତ ଭରା ଯାଇ ପାରିବ ।
ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଟୁଇଟ୍୍୍ କରି କୁହାଯାଇଛି ଯେ, କଳାଧନ ଓ ବେନାମୀ ଅଧିନିୟମ ଆଧାରରେ ବିିଭିନ୍ନ ପ୍ରକାରର ସମୟ ସୀମାକୁ ବିସ୍ତାର କରାଯିବା ପାଇଁ ସରକାର ମାର୍ଚ୍ଚ ୩୧ରେ ଏହି ଅଧ୍ୟାଦେଶ ଆଣିଛନ୍ତି । ଉଲ୍ଲେଖନୀୟ ଅର୍ଥ ମନ୍ତ୍ରୀ କରୋନା ସଂକ୍ରମଣ ସଙ୍କଟକୁ ଦୃଷ୍ଟିରେ ରଖି ଆୟକର, ଜିଏସଟି ସହିତ ପାନ୍ ସଂଯୋଗର ସମୟ ସୀମାକୁ ବଢାଇବାକୁ ଘୋଷଣା କରିଥିଲେ ।