ଝାରସୁଗୁଡ଼ା– ଜିଲ୍ଲାରେ କୋବିଡ ହସ୍ପିଟାଲ ଖୋଲିବା ନେଇ ଏକ ବୈଠକ ଆଜି ଡିଏମଏଫ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଘରୋଇ ହସ୍ପିଟାଲ ସହାୟତାରେ ଝାରସୁଗୁଡ଼ା ଠାରେ କୋବିଡ ହସ୍ପିଟାଲ ଆରମ୍ଭ କରିବା ସମ୍ପର୍କରେ ଆଲୋଚନା ହୋଇଥିଲା ।
ହସ୍ପିଟାଲ ଖୋଲିବା ନେଇ ସ୍ୱାସ୍ଥ୍ୟ ବିଭାଗ ଗୁରୁତର ସହିତ ଚିନ୍ତା କରୁଛି ଏବଂ ଖୁବ ଶୀଘ୍ର ସମସ୍ତ ପ୍ରକାରର ଆନୁସଙ୍ଗିକ ବ୍ୟବସ୍ଥା ଥାଇ ଜିଲ୍ଲାରେ ଯେପରି ଏହା କାର୍ଯ୍ୟକାରୀ ହେବ ସେ ଦିଗରେ ପଦକ୍ଷେପ ନିଆଯାଉଛି ବୋଲି ମନ୍ତ୍ରୀ କହିଥିଲେ । ଭୁବନେଶ୍ୱର ସ୍ଥିତ କେୟାର ହସ୍ପିଟାଲ ସହାୟତାରେ ଝାରସୁଗୁଡ଼ାରେ ବ୍ଲାକ ଡାଇମଣ୍ଡ ଯାନ୍ତ୍ରିକ ମହାବିଦ୍ୟାଳୟ ଠାରେ ଦେଢ଼ ଶହ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ଆରମ୍ଭ ହେବ । ବୈଠକରେ ଜିଲ୍ଲାପାଳ ସରୋଜ କୁମାର ସାମଲ , ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ , ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ତପିରାମ ମାଝୀ, ସିଡିଏମଓ ଜଗଦୀଶ ଚନ୍ଦ୍ର ବାରିକ, ବେଦାନ୍ତର ସିଇଓ ଅନୀଲ କୁମାର ଦୁବେ, କେୟାର ହସ୍ପିଟାଲର ସାଧାରଣ ପରିଚାଳକ ଲୋକନାଥ ଦାଶ, ବିକାଶ ଗ୍ରୁପର ଅଧ୍ୟକ୍ଷ ଡି.ମୁରଲୀକ୍ରିଷ୍ଣା, ବେଦାନ୍ତର ଅଧିକାରୀ ଓ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।
ବୈଠକ ପରେ ଅତିରିକ୍ତ ଜିଲ୍ଲାପାଳ, ପ୍ରକଳ୍ପ ନିର୍ଦ୍ଦେଶକ, କେୟାର ହସ୍ପିଟାଲ ଓ ବିକାଶ ଗ୍ରୁପର ପଦାଧିକାରୀମାନେ ବ୍ଲାକ ଡାଇମଣ୍ଡ ଯାନ୍ତ୍ରିକ ମହାବିଦ୍ୟାଳୟ ପରିଦର୍ଶନରେ ଯାଇଥିଲେ ।