ଜୟପୁର– କରୋନା ଭୂତାଣୁର ଆତଙ୍କରେ ସାରା ଦେଶ ଆତଙ୍କିତ । ସବୁଠି ଚାଲିଛି ବ୍ଳକିଂ ଆଉ ଚେକିଂ। ରାଜ୍ୟ ସୀମାଠୁ ଜିଲ୍ଲା ସୀମା ସବୁ ସିଲ୍। ସବୁଠି ପୋଲିସ ପଇଁତରା ମାରୁଛି । ତଥାପି ବେଫିକର ଗଞ୍ଜେଇ ମାଫିଆ ଲକ ଡାଉନରେ ବି ଏମାନେ ସକ୍ରିୟ। ଏମିତି କିଛି ଚିତ୍ର ସାମ୍ନାକୁ ଆସିଛି କୋରାପୁଟ ଜିଲ୍ଲା ଲମତାପୁଟରୁ।
ମିଳିଥିବା ସୂଚନା ଅନୁସାରେ, ଜଲାପୁଟ ଅଞ୍ଚଳରୁ ଝାରସୁଗୁଡା ଚାଲାଣ ବେଳେ ଲମତାପୁଟ ପୋଲିସ ହାତରେ ଧରା ପଡିଛି ୧୦ ଲକ୍ଷ ଟଙ୍କାର ଗଞ୍ଜେଇ । ଗଞ୍ଜେଇ ଚାଲାଣରେ ବ୍ୟବହୃତ ହୋଇଥିବା ମାରୁତି ଓମିନୀ କାର୍ କୁ ଜବତ କରିବା ସହିତ ଘଟଣାରେ ୪ ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ଯୁବକ ମାନେ ହେଲେ ଝାରସୁଗୁଡାର ସରୋଜ ଦାସ, ବିନୋଦ ବାଘ, ରାମ ରୋଚକ, ମହମ୍ମଦ ସାନୁ । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି । ପୋଲିସ ବିଶେଷ ସୂତ୍ରରୁ ଖବର ପାଇ ସଗର ଗ୍ରାମ ଛକ ନିକଟ ରେ ମାଛକୁଣ୍ଡ ଲମତାପୁଟ ପୋଲିସ ପେଟ୍ରୋଲିଂ କରି ଗାଡି ଯାଞ୍ଚ କରୁଥିବା ସମୟରେ ଜଲାପୁଟ ପଟୁ ଏକ ଦ୍ରୁତ ଗତି ରେ ଆସୁଥିବା ମାରୁତି ଓମିନୀ କୁ ଅଟକାଇଥିଲା । ପୋଲିସ ବ୍ୟାରିକେଟକୁ ଭାଙ୍ଗି ଖସି ପଳାଇବାକୁ ଉଦ୍ୟମ କରିଥିଲା । ପୋଲିସ ଗାଡିକୁ ପିଛା କରି ଗଡିକୁ ଅଟକାଇବାରେ ସଫଳ ହୋଇଥିଲା ବେଳେ ୪ ଜଣଙ୍କୁ କାବୁ କରିବାରେ ସଫଳ ହୋଇଥିଲା । ଭ୍ୟାନକୁ ଯାଞ୍ଚ କରିବା ବେଳେ ଏଥିରେ ବିପୁଳ ପରିମାଣର ଗଞ୍ଜେଇ ଥିବା ଜଣାପଡିଥିଲା । ପୋଲିସ ଗାଡି ଜବତ କରିବା ସହ ଅଭିଯୁକ୍ତ ମାନଙ୍କୁ ଥାନାକୁ ଆଣିଥିଲା । ପଚରା ଉଚରା ବେଳେ ଘଟଣାରେ ସ୍ଥାନୀୟ ଯୁବକଙ୍କ ମଧ୍ୟ ସମ୍ପୃକ୍ତି ଥିବା ଜଣାପଡିଛି । ଆଜି ମାଛକୁଣ୍ଡ ପୋଲିସ ଗିରଫ ଯୁବକ ମାନଙ୍କୁ କୋର୍ଟ ଚାଲାଣ କରିଛି ।