-
ଓଡ଼ିଆ ଅକ୍ଷରକୁ ନେଇ ୟୁଟ୍ୟୁବ୍ ରେ ଅପଲୋଡ଼ ହେଲା ଚିତ୍ରଶିକ୍ଷାର ଅଭିନବ ଚାତୁରୀ
ବାଲେଶ୍ଵର, କୃଷ୍ଣ କୁମାର ମହାନ୍ତିଙ୍କ ଠାରୁ
ସାରା ଦେଶ ତଥା ଓଡିଶାର ଆବାଳବୃଦ୍ଧବନିତାଙ୍କ ପାଇଁ ଲକ୍ ଡାଉନ୍ ଏକ ନୂଆ ଓ ନିଆରା ଅନୁଭୂତି। ଏ ସମୟରେ ନିଜର ତଥା ମାନବଜାତିର କଲ୍ୟାଣ ନିମନ୍ତେ ସରକାରଙ୍କ ନିୟମକୁ କଡ଼ାକଡ଼ି ଭାବେ ପାଳନ କରୁଛନ୍ତି ରାଜ୍ୟବାସୀ। ଏକପ୍ରକାର ସମସ୍ତେ ଗୃହବନ୍ଦୀ ହୋଇ କାଳାତିପାତ କରୁଥିବା ବେଳେ ବାଲେଶ୍ଵରର ବରିଷ୍ଠ ଚିତ୍ରଶିଳ୍ପୀ କେଶୁଦାସ ଏକ ନୂଆ କାମରେ ମନ ଦେଇଥିବା ଜଣା ପଡିଛି। ଆଜି ଉତ୍କଳ ଦିବସ ଅବସରରେ ଓଡ଼ିଆ ଭାଷା ପାଇଁ କିଛି କରିବାର ଯୋଜନା ସ୍ଵରୂପ ଶିଳ୍ପୀ କେଶୁଦାସ ମଧ୍ୟ ନିଜ ସମୟକୁ ସତ୍ ବିନିଯୋଗ କରିବା ସହ ସମସ୍ତ ଓଡ଼ିଆଙ୍କ ସମୟକୁ ସତ୍ ବିନିଯୋଗ କରିବା ପାଇଁ ଆଜି ଠାରୁ ଏକ ନୂତନ ଅଭିଯାନ ଆରମ୍ଭ କରିଛନ୍ତି । ଏଥିରେ ଆଗ୍ରହୀ ସମସ୍ତେ ସାମିଲ ହୋଇ ତାଙ୍କ ଦ୍ବାରା ପ୍ରସ୍ତୁତ ଓ ୟୁଟ୍ୟୁବ୍ ଚ୍ୟାନେଲରେ ଅପଲୋଡ୍ ହେଉଥିବା ଭିଡିଓକୁ ଦେଖିପାରିବେ। ସେ ପ୍ରତିଦିନ ଦୁଇଟି ଓଡ଼ିଆ ଅକ୍ଷରକୁ ନେଇ ‘ଓଡ଼ିଆ ଅକ୍ଷରରେ କାର୍ଟୁନ ଶିକ୍ଷା’ ନାମକ ଏକ ଭିଡିଓ ଅପଲୋଡ଼୍ କରୁଛନ୍ତି । ଏହାକୁ ପରିବାରର ସମସ୍ତେ ଚାହିଁଲେ ଶିଖିପାରିବେ ସହଜରେ। କେବଳ ଭିଡିଓକୁ ଚାଲୁ କରି ଶିଳ୍ପୀଗୁରୁଙ୍କ ପରାମର୍ଶ ଅନୁସରଣ ପୂର୍ବକ ଜଣେ ନିଜ ଖାତା ନେଇ ବସି କାର୍ଟୁନ ଆଙ୍କିବାର ସହଜ ଓ ମଜାଦାର୍ ଉପାୟ ଶିଖିପାରିବେ। ଡ୍ରଇଂ ଆସୁ ନ ଥିବା ଛୋଟ ବଡ଼ ସମସ୍ତେ ଏଥିରୁ ଶିଖିପାରିବେ।
“ପୃଥିବୀର ସବୁ ଅକ୍ଷର ମଧ୍ୟରେ ସୁନ୍ଦର ଅକ୍ଷର ହେଉଛି ଓଡ଼ିଆ । ଏହି ସୁନ୍ଦର ଅକ୍ଷରକୁ ଲେଖିବା ହିଁ ଏକ ଚିତ୍ର । ତେଣୁ ଓଡ଼ିଆ ଅକ୍ଷର ଯିଏ ଶିଖିଛନ୍ତି, ସେମାନେ ଜଣେ ଜଣେ ଚିତ୍ରକର । ଆପଣମାନେ ପ୍ରଥମରୁ ଚିତ୍ରକର। ସୁନ୍ଦର ଅକ୍ଷର ମଧ୍ୟରେ ମଧ୍ୟ ବହୁ ଚିତ୍ର ଲୁଚି ରହିଛି । ପ୍ରତ୍ୟେକ ଓଡ଼ିଆଙ୍କୁ ଏହା ସୂଚାଇ ଦେଲେ ସୁନ୍ଦର ଡ୍ରଇଂ କରି ସେମାନେ ଖୁସି ହେବେ”, ବୋଲି ଶ୍ରୀ ଦାସ କହିଛନ୍ତି। ବିଶ୍ବର ସବୁ ଲିପି ମଧ୍ୟରେ ସବୁଠାରୁ ସୁନ୍ଦର ହେଉଛି ଓଡ଼ିଆ ଲିପି। ଏ ଲିପି ଭିତରେ ଲୁଚି ରହିଛି ସୁନ୍ଦର ସୁନ୍ଦର ଚିତ୍ର। ସେସବୁକୁ ଏହି ଲକ୍ ଡାଉନ୍ ସମୟରେ ମିଳୁଥିବା ପର୍ଯ୍ୟାପ୍ତ ସମୟରେ ଶିଖିପାରିବେ ସମସ୍ତେ ବୋଲି ଶ୍ରୀ ଦାସଙ୍କ ଏ ପ୍ରୟାସ ବୋଲି ସେ କହିଛନ୍ତି। ଲକ୍ ଡାଉନ୍ ର ଏ ଜଟିଳ ସମୟରେ ଆମ ପାଖରେ କୌଣସି ସୁବିଧା ସୁଯୋଗ ନ ଥିଲା ବେଳେ ବହୁ କଷ୍ଟରେ ନିଜ ଘରେ ଛୋଟ ଏକ ଷ୍ଟୁଡିଓ କରିଛନ୍ତି ଶିଳ୍ପୀ ଦାସ। ତାଙ୍କ ସାନପୁଅ ଅଙ୍କିତ ନିଜ ମୋବାଇଲରେ ଏହି ଅକ୍ଷର ଓ ଚିତ୍ର ଶିକ୍ଷାକୁ ଭିଡିଓରେ ସୁଟିଂ କରନ୍ତି । ପରେ ମୋବାଇଲରେ ଏଡିଟିଙ୍ଗ ମଧ୍ୟ କରାଯାଏ। ପୁନଶ୍ଚ ପ୍ରତିଦିନ ଏହି ସିରିଜ ଭିଡ଼ିଓ ପ୍ରସ୍ତୁତି ରେ ତାଙ୍କ ପତ୍ନୀ କନକଳତାଙ୍କ ସହଯୋଗ ମଧ୍ୟ ରହିଛି। ମୋଟ୍ ଉପରେ ଲକ୍ ଡାଉନ୍ ବେଳେ ପୁରା ପରିବାରକୁ ଏପରି ଏକ ଭଲ କାର୍ଯ୍ୟରେ ଲଗେଇଛନ୍ତି ଶିଳ୍ପୀ କେଶୁଦାସ। ତାଙ୍କର ଇଚ୍ଛା ସମୟର ସୁବିନିଯୋଗ କରି ଓଡ଼ିଶାର ଅଗଣିତ ଭାଇଭଉଣୀଙ୍କ ସମୟକୁ ମଧ୍ୟ ସୃଜନଶୀଳତାରେ ଭରିବା।ବିଶ୍ବର ସବୁଠୁ ସୁନ୍ଦର ଓଡ଼ିଆ ଅକ୍ଷରର ସୌନ୍ଦର୍ଯ୍ୟକୁ ବହୁଗୁଣିତ କରି ସର୍ବସମ୍ମୁଖରେ ଉପସ୍ଥାପନ କରିବା ସହିତ ଲକ୍ ଡାଉନ୍ କୁ ସମ୍ମାନର ସହ ମାନିବା। ପ୍ରକାଶ ଥାଉ କି ୧୯୯୮ରେ ନ୍ୟୁ ଏଜ୍ ପବ୍ଲିକେସନ ଦ୍ବାରା ଶିଳ୍ପୀ କେଶୁଦାସଙ୍କ ‘ଓଡ଼ିଆ ବର୍ଣ୍ଣମାଳା ସହ ସହଜ କାର୍ଟୁନ ଶିକ୍ଷା’ ପୁସ୍ତକ ପ୍ରକାଶ ପାଇଥିଲା । ସେଥିରେ ଛୋଟ କବିତା ସହ ଅ ରୁ କ୍ଷ ପର୍ଯ୍ୟନ୍ତ ଓଡ଼ିଆ ଅକ୍ଷରେ କାର୍ଟୁନ କରିବାର ଧାରା ବତା ଯାଇଥିଲା । ସେହି ପୁସ୍ତକର ଭିଡ଼ିଓଗ୍ରାଫି କରି ଲକଡାଉନ ସମୟରେ ୟୁଟ୍ୟୁବ୍ ମାଧ୍ୟମରେ ଶ୍ରୀଦାସ ଉପଲବ୍ଧ କରାଇ ଏକ ମହତ କାର୍ଯ୍ୟ କରିଛନ୍ତି ବୋଲି ଆଲୋଚନା ହେଉଛି।