ବ୍ରହ୍ମପୁର: ବ୍ରହ୍ମପୁର ସହରରେ ଲକ୍ ଡାଉନ୍ ଜାରି ରହିଛି । ସହରବାସୀ ଏହାକୁ ପୂର୍ଣ୍ଣ ସମର୍ଥନ ଦେଉଥିବା ବେଳେ କିଛି ଅମାନିଆ ମାନୁ ନାହାଁନ୍ତି । ତେବେ ଲକ୍ ଡାଉନ୍ରେ ଫଶି ରହିଥିବା ଅସହାୟ ଗରିବ ଗୁରୁବାଙ୍କୁ ସୁଖିଲା ରାସନ ସାମଗ୍ରୀ ବିଏମ୍ସି ପକ୍ଷରୁ ମଙ୍ଗଳବାର ପ୍ରଦାନ କରିବା ଆରମ୍ଭ କରାଯାଇଛି । କମିଶନର ଚକ୍ରବର୍ତ୍ତି ସିଂ ରାଥୋଡଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସ୍ଥାନୀୟ ମିଲିଟାରୀ ଲାଇନ୍ ସ୍କୁଲ ପରିସରରେ ପ୍ୟାକେଟ୍ ପ୍ରସ୍ତୁତ କରାଯାଉଛି । ସହରର ବିଭିନ୍ନ ସଙ୍ଗଠନ ପକ୍ଷରୁ ମିଳିଥିବା ଏହି ଖାଦ୍ୟକୁ ବଣ୍ଟନ କରାଯାଉଛି । ସହରରେ ବିଭିନ୍ନ ସଙ୍ଗଠନ ପକ୍ଷରୁ ରନ୍ଧା ଖାଦ୍ୟ ପ୍ରସ୍ତୁତକରି ବଣ୍ଟନ କରାଯାଉଥିବା ଯୋଗୁ ସାମାଜିକ ଦୂରତା ରହୁନଥିଲା । ଯାହାଫଳରେ ବିଏମ୍ସି ପକ୍ଷରୁ ଯେଉଁମାନେ ଗରିବ ଲୋକଙ୍କୁ ସହଯୋଗ କରିବା ପାଇଁ ଚାହୁଁଛନ୍ତି ସେମାନେ ସୁଖିଲା ରାସନ ଖାଦ୍ୟ ବିଏମ୍ସିକୁ ପ୍ରଦାନ କରନ୍ତୁ ବୋଲି ଅପିଲ୍ କରାଯାଇଥିଲା । ଏହି ମର୍ମରେ ସହରର ବହୁ ସଙ୍ଗଠନ ବିଏମ୍ସିକୁ ସହାୟତାର ହାତ ବଢ଼ାଇଥିଲେ । ଗୋଟିଏ ଗୋଟିଏ ପ୍ୟାକେଟ୍ରେ ୫କେଜି ଚାଉଳ, ୧କେଜି ଅଟା, ୧କେଜି ସୁଜି, ଡାଲି ଦେଢ଼କିଲୋ, ଆଳୁ ୨କେଜି, ତେଲ ୧ପ୍ୟାକେଟ୍ ରଖି ୧୫ଦିନ ଚଳିବା ଭଳି ରାସନ ସାମଗ୍ରୀ ବଣ୍ଟନ କରାଯାଇଥିଲା । ବିଭିନ୍ନ ସଙ୍ଗଠନ ପକ୍ଷରୁ ଏହି ପ୍ୟାକିଂ କରିବା ପାଇଁ ବିଏମ୍ସିକୁ ସହଯୋଗ କରୁଛନ୍ତି । ବର୍ତ୍ତମାନ ୧୦ହଜାର ପ୍ୟାକେଟ୍ ଦେବାକୁ ବିଭିନ୍ନ ସଙ୍ଗଠନ ପକ୍ଷରୁ ବିଏମ୍ସିକୁ ସହମତି ପ୍ରଦାନ କରିଥିବା କମିଶନର ସୂଚନା ଦେଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ମଙ୍ଗଳବାର ଦିନ ଅପରାହ୍ନରେ ପୁନବାସୀ କଲୋନୀ, ଲେପ୍ରସୀ କଲୋନୀ ସହ ୪ଟି ବସ୍ତି ଅଞ୍ଚଳରେ ପ୍ରାୟ ୨୫୦ରୁ ଊର୍ଦ୍ଧ୍ୱ ରେସନ ପ୍ୟାକେଟ୍ ପ୍ରଦାନ କରାଯାଇଛି । ବଣ୍ଟନ କାର୍ଯ୍ୟରେ ବହୁ ସ୍ୱେଚ୍ଛାସେବୀ ସହଯୋଗ କରୁଛନ୍ତି । ସେମାନଙ୍କୁ ବିଏମ୍ସି ପକ୍ଷରୁ ପଞ୍ଜିକୃତ ପରିଚୟ ପତ୍ର ବଣ୍ଟନ ପାଇଁ ପ୍ରଦାନ କରାଯାଇଛି । ସହରରେ ପ୍ରାୟ ୧୦୦ରୁ ଊର୍ଦ୍ଧ୍ୱ ବସ୍ତିରେ ୧୯ହଜାର ପରିବାର ରହୁଛନ୍ତି । ଆବଶ୍ୟକସ୍ଥଳେ ୨୦ହଜାର ପ୍ୟାକେଟ୍ ପ୍ରସ୍ତୁତ କରିବା ପାଇଁ ବିଏମ୍ସି ଯୋଜନା କରୁଥିବା କମିଶନର ଶ୍ରୀ ରାଥୋଡ ସୂଚନା ଦେଇଛନ୍ତି । ନିଗମ ପକ୍ଷରୁ ଏହି ରାସନ ସାମଗ୍ରୀ ପାଇବାପରେ ବସ୍ତି ଅଞ୍ଚଳରେ ଖୁସିର ଲହରି ଖେଳିଯାଇଛି ।