ବ୍ରହ୍ମପୁର: ଅମାନିଆ ମାନୁ ନାହାଁନ୍ତି ଲକ୍ ଡାଉନ୍ କଟକଣା । ଅମାନିଆଙ୍କ ବିରୋଧରେ ପୁଲିସ କଠୋର ପଦକ୍ଷେପ ଗ୍ରହଣ କରିବା ପରେ ଏବେ ରାସ୍ତାରେ ଗାଡ଼ି ଚାଳକଙ୍କ ସଂଖ୍ୟା କମିବାରେ ଲାଗିଛି । ଏବେ ପୂର୍ବଭଳି ଆଉ ଗହଳି କରୁନାହାନ୍ତି ଏବଂ ଗାଡ଼ି ନେଇ ବଜାର ମଧ୍ୟ ଆସୁନାହାନ୍ତି । ଆଉ ୧୫ ଦିନ ଏଭଳି ଶୃଙ୍ଖଳିତ ଭାବେ ଘରେ ରହିବାକୁ ହେବ ବୋଲି କହିଛନ୍ତି ବ୍ରହ୍ମପୁର ଏସ୍ପି ପିନାକ ମିଶ୍ର । ପୁଲିସ ସମସ୍ତଙ୍କର ସେବାରେ ରହିଛି । ତେଣୁ ସମସ୍ତେ ସୁରକ୍ଷିତ ଭାବେ ଘରେ ରୁହନ୍ତୁ ବୋଲି ବ୍ରହ୍ମପୁରବାସୀଙ୍କୁ ଏସ୍ପି ନିବେଦନ କରିଛନ୍ତି । ଲକ୍ଡାଉନ୍ ପରେ ପୁଲିସ କର୍ମଚାରୀଙ୍କ କାମ ବଢ଼ିଯାଇଛି । ସେମାନେ ପରିବାର ଛାଡ଼ି ରାସ୍ତା କଡ଼ରେ ଦିନ କାଟୁଛନ୍ତି ଏବଂ ଅନ୍ୟମାନଙ୍କ ସୁରକ୍ଷା ଦେଖୁଛନ୍ତି । ଆଉ ମାତ୍ର କିଛି ଦିନ ଘରେ ରହିବାକୁ ଏସ୍ପି ମିଶ୍ର ଅନୁରୋଧ କରିଛନ୍ତି । ପ୍ରତିଦିନ କିଛିନା କିଛି ଲୋକଙ୍କ ବିରୋଧରେ ପୁଲିସ ମାମଲା ରୁଜୁ କରୁଛି । ଅଯଥାରେ ଘରୁ ବାହାରିଲେ ସେମାନଙ୍କ ବିରୋଧରେ ମାମଲା ରୁଜୁ କରି ଗିରଫ କରାଯାଉଛି । ପରବର୍ତ୍ତୀ ସମୟରେ ବ୍ୟକ୍ତିଗତ ମୁଚାଲିକାରେ ସେମାନଙ୍କୁୂ ଛଡ଼ାଯାଉଛି । ବର୍ତ୍ତମାନ ଗାଡ଼ି ଚାଳକଙ୍କ ବିରୋଧରେ ଚାଲାଣ କଟାଯାଉଥିବା କହିଛନ୍ତି ଏସ୍ପି ମିଶ୍ର । ମଙ୍ଗଳବାର ବୈଦ୍ୟନାଥପୁର ଥାନା ପୁଲିସ ୩ଟି ଗାଡ଼ି ଜବତ କରିଥିବା ବେଳେ ୧୮ଟି ଗାଡ଼ିର ଫଟୋ ଉଠାଇ ଚାଲାଣ କାଟିବାକୁ ପଠାଇଛି, ଟାଉନ୍ ଥାନା ପୁଲିସ ୧୨ଟି ଗାଡ଼ି, ବଡ଼ବଜାର ଥାନା ୨୦ଟି ଗାଡ଼ି ବିରୋଧରେ କାର୍ଯ୍ୟାନୁଷ୍ଠାନ, ଗୋସାଇଁନୂଆଗାଁ ଥାନାରେ ୩ଟି ଗାଡ଼ି ଜବତ ହୋଇଥିବା ବେଳେ ୧୫ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବା ଏସ୍ଡିପିଓ ବିଷ୍ଣୁ ପ୍ରସାଦ ପତି ସୂଚନା ଦେଇଛନ୍ତି ।
Related Stories
September 16, 2025
September 16, 2025