ବ୍ରହ୍ମପୁର: ଲକ୍ ଡାଉନ୍କୁ ବେଖାତିର କରି ଅନେକ ଯୁବଗୋଷ୍ଠୀ ବାହାରେ ବୁଲିବା ଅଭ୍ୟାସକୁ ଛାଡୁନାହାଁନ୍ତି । ସମସ୍ତ ପ୍ରଶାସନିକ ଚେଷ୍ଟା ସତ୍ତ୍ୱେ ଯଦି ସେମାନଙ୍କ କିଛି ପରିବର୍ତ୍ତନ ନହୁଏ ତେବେ ୧୪ଦିନିଆ କ୍ୱାରାଣ୍ଟାଇନ୍ରେ ରଖିବାକୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ନିର୍ଦ୍ଦେଶ ଦେଇଛନ୍ତି । ବୟସ୍କ ଲୋକମାନଙ୍କ କ୍ଷେତ୍ରରେ କରୋନା ଆକ୍ରମଣର ଭୟ ଅଧିକା ଥିବାରୁ ସେମାନଙ୍କୁ ଘରୁ ନ ବାହାରିବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ଯେଉଁ ଗାଡି ବାହାର ରାଜ୍ୟରୁ ଲୋକଙ୍କୁ ଜିଲ୍ଲା ଭିତରକୁ ଆଣିବ ଉକ୍ତ ଗାଡି ଓ ଡ୍ରାଇଭରଙ୍କ ନାମରେ ମକଦ୍ଦମା କରାଯିବା ସହିତ ଜବତ କରାଯିବ । ସମ୍ପୃକ୍ତ ଲୋକମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ସେମାନଙ୍କୁ କ୍ୱାରାଣ୍ଟାଇନ୍ରେ ରଖାଯିବ । ସମସ୍ତ କ୍ୱାରାଣ୍ଟାଇନ୍ କେନ୍ଦ୍ରରେ ଥିବା ଲୋକମାନଙ୍କର ସକାଳେ ଓ ସନ୍ଧ୍ୟାରେ ହାଜିରା ନିଆଯିବ । ରେଳ ଲାଇନ୍ରେ ଯେଉଁମାନେ ଚାଲି ଚାଲି ଯାତାୟାତ କରୁଛନ୍ତି ସେମାନଙ୍କୁ ମଧ୍ୟ ଧରପଗଡ କରାଯିବ । କୌଣସି ମନ୍ଦିରରେ ସଂଖ୍ୟାଧିକ ଲୋକ ଦେଖିଲେ ତାକୁ ତାଲା ପକାଇ ଦିଆଯିବ । ଦୋକାନୀ ମାନେ ସେମାନଙ୍କ ମୁହଁ ଆବୃତ୍ତ କରିବା ସହିତ ହାତରେ ଗ୍ଲୋପ୍ସ ପିନ୍ଧିବା ବାଧ୍ୟତାମୂଳକ । ଯେଉଁ ଦୋକାନରେ ସରକାରୀ ନିୟମ ନ ମାନି ଲୋକେ ଗହଳି କରୁଛନ୍ତି ଉକ୍ତ ଦୋକାନୀକୁ ଜୋରିମାନା ପକାଯିବ । ମୋଟର ସାଇକେଲ୍କୁ ଅଧିକ ଧରପଗଡ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଗ୍ରାମାଞ୍ଚଳରେ ସକାଳୁ ଓ ସନ୍ଧ୍ୟାରେ ମାଇକ୍ ଯୋଗେ ଲକ୍ ଡାଉନ୍ ପ୍ରଚାର କରିବା ପାଇଁ କୁହାଯାଇଛି । ଆଇସୋଲେଶନ୍ ପାଇଁ ସ୍ଥିର କରାଯାଇଥିବା ଡାକ୍ତରଖାନାଗୁଡିକୁ ସବୁମତେ ପ୍ରସ୍ତୁତ ରଖିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି । ଯାହାଫଳରେ ଆବଶ୍ୟକ ପଡିଲେ ଏହା ତୁରନ୍ତ କାର୍ଯ୍ୟକ୍ଷମ ହୋଇପାରିବ । ବ୍ଲକ୍ ମାନଙ୍କରେ ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ୍ କାର୍ଯ୍ୟକ୍ଷମ ହେବ । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଗଠନ କରିଥିବା ୧୨୨ଟି ରାଫିଡ୍ ଆକ୍ସନ ଟିମ୍କୁ ସମ୍ପୂର୍ଣ୍ଣ ପ୍ରସ୍ତୁତି ସହାକାରେ ସଜାଗ ହୋଇ ରହିବା ପାଇଁ କୁହାଯାଇଛି । ଜିଲ୍ଲାର ବିଭିନ୍ନ ଜେଲ୍ରେ ରହୁଥିବା ଅନ୍ତେବାସୀମାନଙ୍କୁ ସାନିଟାଇଜର ଓ ମାସ୍କ ପ୍ରଦାନ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଯେଉଁ ସରକାରୀ ସଂସ୍ଥା ସହଯୋଗ କରିବା ପାଇଁ ଇଚ୍ଛୁକ ସେମାନେ ବିଡିଓ ମାନଙ୍କୁ ଖାଦ୍ୟ ସାମଗ୍ରୀ କିମ୍ବା ଅନ୍ୟାନ୍ୟ ବସ୍ତୁ ଦେବାପାଇଁ କୁହାଯାଇଛି । ସ୍ୱେଚ୍ଛାସେବୀ କର୍ମୀମାନଙ୍କୁ କ୍ୱାରାଣ୍ଟାଇନ୍ ଲୋକମାନଙ୍କ ସହିତ ସିଧା ମିଳାମିଶା କରିବାକୁ ବାରଣ କରାଯାଇଛି । କରୋନାର ପ୍ରସ୍ତୁତିକୁ ନେଇ ସବୁ ବ୍ଲକ୍ସ୍ତରରେ ମକ୍ଡ୍ରିଲ୍ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।ବୈଠକରେ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ସହିତ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଇଂ. ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ, ସୁଦାମ ଚରଣ ମଣ୍ଡଳ, ଅମୀୟ କୁମାର ସାହୁଙ୍କ ସମେତ ଛତ୍ରପୁର ଉପଜିଲ୍ଲାପାଳ ପ୍ର୍ରିୟରଞ୍ଜନ ପୃଷ୍ଟି ଓ ଅନ୍ୟାନ୍ୟ ବିଭାଗୀୟ ମୁଖ୍ୟ ଉପସ୍ଥିତ ଥିଲେ ।
Related Stories
November 24, 2024
November 24, 2024