ଭୁବନେଶ୍ୱର– ରାଜ୍ୟ ସରକାର ଲର୍ଣ୍ଣିଂ ଲାଇସେନ୍ସ ଓ ପ୍ରଦୂଷଣ ସାର୍ଟିଫିକେଟ୍ ର ବୈଧତାକୁ ଜୁନ୍ ୩୦ ତାରିଖ ଯାଏ ବୃଦ୍ଧି କରିଛନ୍ତି । ରାଜ୍ୟ ପରିବହନ କର୍ତୃପକ୍ଷ ଏ ନେଇ ଏକ ଟ୍ୱିଟ୍ କରିଛନ୍ତି । ଲକ୍ ଡାଉନ୍ କୁ ଦୃଷ୍ଟିରେ ରଖି କେନ୍ଦ୍ର ପରିବହନ ମନ୍ତ୍ରଣାଳୟ ଡ୍ରାଇଭିଂ ଲାଇସେନ୍ସ, ଗାଡିର ଫିଟନେସ୍ ସାର୍ଟିଫିକେଟ୍ ଏବଂ ଗାଡ଼ି ପରମିଟ୍ ଆଦିର ନବୀକରଣ କରାଇବାର ଅବଧିକୁ ଜୁନ୍ ୩୦ ତାରିଖ ଯାଏ ବୃଦ୍ଧି କରିଥିଲେ ।
କେନ୍ଦ୍ର ପରିବହନ ମନ୍ତ୍ରଣାଳୟର ନିଷ୍ପତି ଅନୁଯାୟୀ ୧ ଫେବୃଆରୀ ୨୦୨୦ ପରେ ଏବଂ ଜୁନ୍ ୩୦ ପୂର୍ବରୁ ଡ୍ରାଇଭିଂ ଲାଇସେନ୍ସ, ଫିଟନେସ୍ ସାର୍ଟିଫିକେଟ୍ ଏବଂ ଗାଡ଼ି ପରମିଟ୍ ଆଦିର ଅବଧି ସରିଥିଲେ ମଧ୍ୟ ଏସବୁକୁ ବୈଧ ବୋଲି ବିଚାର କରାଯିବ । ଏପ୍ରିଲ ୧୪ ଯାଏ ଲକ୍ ଡାଉନ୍ ରହିଥିବାରୁ ଏହି ସମୟରେ କାଗଜ ପତ୍ର ନବୀକରଣ କରାଇବା ଅସମ୍ଭବ ହୋଇପଡ଼ିଛି । ଲକ୍ ଡାଉନ୍ ସରିବା ପରେ ମଧ୍ୟ ଯଥା ସମୟରେ ନବୀକରଣ କରାଇବା ସହଜ ହେବନି । ତେଣୁ ସରକାର ଏଭଳି ନିଷ୍ପତି ନେଇଛନ୍ତି । କେନ୍ଦ୍ର ପରିବହନ ମନ୍ତ୍ରଣାଳୟ ପକ୍ଷରୁ ଦେଶର ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଂଚଳକୁ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି ।