ବ୍ରହ୍ମପୁର : କୋଭିଡ-୧୯କୁ ସଫଳ ମୁକାବିଲା କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ସମସ୍ତ ପ୍ରଶାସନିକ ଅଧିକାରୀ, ପୋଲିସ ପ୍ରଶାସନ, ବ୍ଲକ୍ ପ୍ରଶାସନ ଓ ଏନ୍ଏସି ପ୍ରଶାସନ ଠାରୁ ଆରମ୍ଭକରି ପଞ୍ଚାୟତସ୍ତରର ଅଧିକାରୀଙ୍କୁ ନେଇ ପ୍ରସ୍ତୁତି ଚଳାଇଛନ୍ତି । କରୋନା ଭୁତାଣୁ ସଂକ୍ରମଣକୁ ଜିଲ୍ଲାରେ ଯେଭଳି ନପୁରାଇବା ସେ ନେଇ ରାତିଦିନ ଏକକରି ୨୪ଘଣ୍ଟିଆ ସେବା ଯୋଗାଇବା ପାଇଁ ପ୍ରତିଶ୍ରୁତିବଦ୍ଧ ମଧ୍ୟ ନେଇଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ପ୍ରକାରେ କରୋନା ଭୁତାଣୁ ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶନାମା ଅନୁସାରେ ରାଜ୍ୟ ବାହାରୁ ତଥା ଦେଶ ବାହାରୁ ଗଞ୍ଜାମ ଜିଲ୍ଲାକୁ ଆସିଥିବା ଜନସାଧାରଣଙ୍କ ତାଲିକା ପ୍ରସ୍ତୁତ କରାଯାଇଛି । ସେମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଭିନ୍ନ ଭିନ୍ନ ଗ୍ରାମରେ ସ୍ୱାସ୍ଥ୍ୟକର୍ମୀଙ୍କ ଜରିଆରେ ଆଇସିଲୋଏଶନ୍ରେ ରଖାଯାଇଛି । ଆବଶ୍ୟକସ୍ଥଳେ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଥିବା ଜଣାପଡିଛି । ମିଳିଥିବା ସୂଚନା ପ୍ରକାରେ ଚଳିତ ମାସ ପହିଲାରୁ ୨୯ତାରିଖ ସୁଦ୍ଧା ଗଞ୍ଜାମ ଜିଲ୍ଲାର ୨୨ଟି ବ୍ଲକ୍ ଅଞ୍ଚଳରେ ୨୧୮୮୦ଜଣ ରାଜ୍ୟ ବାହାରୁ ଆସିଥିବା ବେଳେ ୬୦୯ଜଣ ଦେଶ ବାହାରୁ ଆସିଛନ୍ତି । ଏଭଳି ମୋଟ ୨୨୪୮୯ ଜିଲ୍ଲାର ରହିଥିବା ବେଳେ ୧୭ଟି ଏନ୍ଏସି ଅଞ୍ଚଳକୁ ୧୬୭୮ଜଣ ରାଜ୍ୟ ବାହାରୁ ଆସିଥିବା ବେଳେ ୧୨୧ଜଣ ଦେଶ ବାହାରୁ ଆସି ମୋଟ ୧୭୯୯ଜଣ ଜିଲ୍ଲାର ବିଭିନ୍ନ ଏନ୍ଏସି ଓ ବ୍ରହ୍ମପୁର ମ୍ୟୁନସିପାଲଟି ଅଞ୍ଚଳରେ ରହିଛନ୍ତି । ଉପରକ୍ତ ୨ଟି ସଂଖ୍ୟାକୁ ଗଣନାକଲେ ଜିଲ୍ଲାକୁ ୨୩୫୫୮ ରାଜ୍ୟ ବାହାରୁ ଆସିଥିବା ବେଳେ ୭୩୦ଜଣ ଦେଶ ବାହାରୁ ଆସିଛନ୍ତି । ଏଭଳି ମୋଟ ୨୪୨୮୮ଜଣଙ୍କୁ ଜିଲ୍ଲା ସ୍ୱାସ୍ଥ୍ୟକର୍ମୀଙ୍କ ନଜରରେ ରଖାଯାଇଛି । ଯେଉଁ ଘରେ ରହିଛନ୍ତି ସେମାନଙ୍କ ଘର ସମ୍ମୁଖରେ ସ୍ୱାସ୍ଥ୍ୟ କର୍ମୀମାନେ ଲଟକା ଜାରି କରିଛନ୍ତି । ୧୪ଦିନିଆ ଆଇସୁଲେଶନ୍ରେ ରହିବା ସହ ପରିବାର ଲୋକଙ୍କ ସହ ଦୂରତାରେ ରହିବା ପାଇଁ ପରାମର୍ଶ ଦିଆଯାଇଛି । ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଆବଶ୍ୟକୀୟ ପଡିଲେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଥିବା ଜଣାପଡିଛି ।
Related Stories
November 24, 2024
November 24, 2024