
ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ନୂତନ ସ୍ୱାସ୍ଥ୍ୟ ଅଧିକାରୀ ଭାବେ ରାଜ୍ୟ ସରକାର ବରିଷ୍ଠ ଡାକ୍ତର ତଥା ପ୍ରଶାସକ ଡା. ଉମାଶଙ୍କର ମିଶ୍ରଙ୍କୁ ଦାୟୀତ୍ୱ ପ୍ରଦାନ କରିଛନ୍ତି । ଏଥିପୂର୍ବରୁ ଶ୍ରୀ ମିଶ୍ର କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟର ସୁପରିଟେଣ୍ଡେଣ୍ଟ ଭାବେ କାର୍ଯ୍ୟକରି ଆସୁଥିଲେ । ତାଙ୍କୁ ଏହିଭଳି ଏକ ଘଡିସନ୍ଧି ମୂହୁର୍ତ୍ତରେ ଗଞ୍ଜାମ ଜିଲ୍ଲାର ସ୍ୱାସ୍ଥ୍ୟ ଅଧିକାରୀ ଭାବେ ଗତ ୨୯ତାରିଖ ଦିନ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଚିଠି ନମ୍ବର ୯୨୬୮/ତା ୨୯.୩.୨୦୨୦ରେ ପଦୋନ୍ନତି ଦେଇ ଗଞ୍ଜାମ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଭାବେ ବଦଳି କରିଥିଲେ । ଏହାସହ ତୁରନ୍ତ ସେ ଦାୟୀତ୍ୱରେ ଯୋଗଦେବା ପାଇଁ ନିର୍ଦ୍ଦେଶନାମା ଜାରି କରିଥିଲେ । ନିର୍ଦ୍ଦେଶନାମା ପାଇବାପରେ ଶ୍ରୀ ମିଶ୍ର ସୋମବାର ଦିନ ଗଞ୍ଜାମ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଭାବେ ସ୍ଥାନୀୟ ସିଟି ହସ୍ପିଟାଲ ରୋଡ୍ରେ ଥିବା ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟରେ ଭାରପ୍ରାପ୍ତ ସ୍ୱାସ୍ଥ୍ୟ ଅଧିକାରୀ ଆର୍.ଜଗଦୀଶ ପଟ୍ଟନାୟକଙ୍କ ଠାରୁ ନିଜ ଦାୟୀତ୍ୱ ନେଇଛନ୍ତି । ଦାୟୀତ୍ୱ ପାଇବାପରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତାଙ୍କୁ ସ୍ୱାଗତ କରାଯାଇଥିଲା । କରୋନା ମୁକାବିଲା ପାଇଁ ପ୍ରଶାସନ ସହ ମିଶି କାର୍ଯ୍ୟ କରିବି ବୋଲି ନିଜ ପ୍ରତିକ୍ରିୟାରେ ଶ୍ରୀ ମିଶ୍ର କହିଛନ୍ତି ।