ବ୍ରହ୍ମପୁର : ପୁଲିସର ସମସ୍ତ ପଦକ୍ଷେପ ଓ କଠୋର କାର୍ଯ୍ୟାନୁଷ୍ଠାନ ପରେ ମଧ୍ୟ ସାଧାରଣ ଲୋକ ବୁଝୁନାହାନ୍ତି । ସହରରେ ୯୦ ପ୍ରତିଶତ ଲୋକ ଘରେ ରହୁଥିବା ବେଳେ ୧୦ ପ୍ରତିଶତ ଲୋକ କୌଣସି କଟକଣାକୁ ମାନୁନାହାନ୍ତି । ରାସ୍ତାରେ ବୁଲାବୁଲି କରୁଛନ୍ତି । ଅଯଥାରେ ରାସ୍ତାକୁ ବାଇକ୍ରେ ଆସିଲେ ପୁଲିସ ବାଇକ୍ ଜବତ କରୁଛି ଏବଂ ମାମଲା ମଧ୍ୟ ରୁଜୁ କରୁଛି । ଏଭଳି କାର୍ଯ୍ୟାନୁଷ୍ଠାନ ପରେ ମଧ୍ୟ ସହରର ବଜାର ମାନଙ୍କରେ ଭିଡ଼ ରହୁଛି । ରବିବାର ବିଳମ୍ବିତ ରାତିରେ ଟାଟାବେଞ୍ଜ ଛକରେ ଜଣେ ହୋମ୍ଗାର୍ଡଙ୍କୁ କିଛି ଯୁବକ ଆକ୍ରମଣ କରିଛନ୍ତି । ଟାଟାବେଞ୍ଜ ଛକରେ ହୋମ୍ଗାର୍ଡ ଶ୍ରୀକାନ୍ତ ପ୍ରଧାନ ଡ୍ୟୁଟିରେ ଥିବା ସମୟରେ ୩ଜଣ ଯୁବକ ଅଯଥାରେ ବୁଲୁଥିଲେ । ଶ୍ରୀକାନ୍ତ ସେମାନଙ୍କୁ ଅଟକାଇ ଅଯଥାରେ କାହିଁକି ବୁଲୁଛ ବୋଲି ପଚାରିଥିଲେ । ଯୁବକ ମାନେ ହୋମ୍ଗାର୍ଡ ଶ୍ରୀକାନ୍ତଙ୍କୁ ଗାଳି କରିବା ସହ ତୁମେ ବାହାରେ ରହୁଛ ତୁମକୁ କିଛି ହେଉନି ଆମେ ଆସିଲେ କାହିଁକି ପଚାରୁଛ ବୋଲି କହି ମାଡ଼ ମାରିଥିଲେ । ଏହି ମାମଲାରେ ବୈଦ୍ୟନାଥପୁର ଥାନା ପୁଲିସ ୩ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସଚିନ କୁମାର ସାହୁ, ଜଗଦୀଶ ସେଠୀ ଓ ଅନୀଲ କୁମାର ପାଢ଼ିଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଟାଉନ୍ ଏସ୍ଡିପିଓ ବିଷ୍ଣୁ ପ୍ରସାଦ ପତି ସୂଚନା ଦେଇଛନ୍ତି । ସେହିପରି ବୈଦ୍ୟନାଥପୁର ଥାନା ପୁଲିସ ସୋମବାର୧୦ଟି ଗାଡ଼ିର ଚାଲାଣ ପାଇଁ ପଠାଇଥିବା ବେଳେ ଟାଉନ୍ ଥାନା ପୁଲିସ ୧୦ଟି ଗାଡ଼ି ଜବତ କରାଯାଇ ଜରିମାନା ଆଦାୟ କରାଯାଇଛି । ବଡ଼ବଜାର ଥାନାରେ ୯ଜଣଙ୍କ ନାମରେ ଗୋଟିଏ କେସ୍ କରାଯାଇଛି । ଗୋସାଇଁନୂଆଗାଁ ଥାନାରେ ଗୋଟିଏ କେସ୍ ୩ଜଣଙ୍କ ନାମରେ ହୋଇଥିବା ବେଳେ ୩ଟି ବାଇକ୍ ଜବତ କରାଯାଇଛି ବୋଲି ଏସ୍ଡିପିଓ ପତି ସୂଚନା ଦେଇଛନ୍ତି ।
Related Stories
November 24, 2024
November 24, 2024