ବ୍ରହ୍ମପୁର : ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ରାସ୍ତାରେ ବୁଲୁଥିବା ପଶୁ ଓ ଅସହାୟ ଲୋକଙ୍କୁ ଖାଦ୍ୟ ଯୋଗାଇ ଦିଆଯାଇଥିବା କହିଛନ୍ତି କମିଶନର ଚକ୍ରବର୍ତ୍ତୀ ସିଂହ ରାଠୋର । ସେ କହିଛନ୍ତି, ସହରରେ ରହିଥିବା ଅସହାୟ ଲୋକ ମାନେ ଯେପରି ଭୋକରେ ନରହିବେ ସେଥିପ୍ରତି ନିଗମ ପକ୍ଷରୁ ଦୃଷ୍ଟି ଦିଆଯାଉଛି । ଏମ୍କେସିଜି ମେଡିକାଲ କଲେଜ ଓ ହସ୍ପିଟାଲ ଏବଂ ଗେଟ୍ ବଜାର ଆହାର କେନ୍ଦ୍ରରେ ୩ଶହ ଲୋକଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ ରହୁଛି । ଏହାବ୍ୟତିତ ପ୍ରତିଦିନ ବିଏମ୍ସି ପକ୍ଷରୁ ୪୦ରୁ ଅଧିକ ଲୋକଙ୍କୁ ଖାଦ୍ୟ ଯୋଗାଇ ଦିଆଯାଉଛି । ସୋମବାର ବିଏମ୍ସି ପକ୍ଷରୁ କେତେକ ଜାଗାରେ ବ୍ରେଡ୍ ଓ ଅନ୍ୟାନ୍ୟ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା । ସେହିପରି ରାସ୍ତାରେ ବୁଲୁଥିବା କୁକୁର, ଗାଈ ଓ ଅନ୍ୟ ପଶୁ ମାନଙ୍କୁ ଖାଦ୍ୟ ବଣ୍ଟନ କରାଯାଇଥିଲା । ଗାନ୍ଧୀନଗର ଅଞ୍ଚଳରେ କିଛି ପଶ୍ଚିମବଙ୍ଗର ଶ୍ରମିକ ଶ୍ରେଣୀର ଲୋକ ଫଶିକି ରହିଥିବାରୁ ସେମାନଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଥିବା କମିଶନର କହିଛନ୍ତି । ସହରର ବହୁ ସଙ୍ଗଠନ, ବ୍ୟବସାୟୀ ଓ ବିଶିଷ୍ଟ ବ୍ୟକ୍ତି ବିଶେଷମାନେ ଦେଇଥିବା ଅର୍ଥ ଓ ସାମଗ୍ରୀରେ ଏହି କାର୍ଯ୍ୟ କରାଯାଉଥିବା କମିଶନର କହିଛନ୍ତି । ସେମାନଙ୍କୁ ନିଗମ ପକ୍ଷରୁ ସାଧୁବାଦ ଜଣାଯାଇଛି । ଯେଉଁମାନେ ଏହି ସହାୟତାର ହାତ ବଢ଼ାଇବାକୁ ଚାହୁଁଛନ୍ତି ସେମାନେ ନିଗମ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରିପାରିବେ ବୋଲି ମଧ୍ୟ ଅନୁରୋଧ କରିଛନ୍ତି ।
Related Stories
November 24, 2024
November 24, 2024