-
ବିଧାନସଭା ବଦଳରେ ଲୋକସେବା ଭବନରେ ବସିଲା ସ୍ୱତନ୍ତ୍ର ଦିନିକିଆ ବୈଠକ
-
ଗୃହ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ
ଭୁବନେଶ୍ୱର– ରାଜ୍ୟ ଅର୍ଥମନ୍ତ୍ରୀ ଶ୍ରୀ ନିରଂଜନ ପୂଜାରୀ ସୋମବାର ଦିନ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ସମୁଦାୟ ୧ ଲକ୍ଷ ୫୫ ହଜାର ୯୬୩ କୋଟି ୨୬ ଲକ୍ଷ ୮୧ ହଜାର ଟଙ୍କାର ବ୍ୟୟ ମଂଜୁରୀ ବିଲ୍ ଆଗତ କରିଥିଲେ । ଆଲୋଚନା ପରେ ଏହି ବିଲ୍ ଗୃହର ଅନୁମୋଦନ ଲାଭ କରିଥିଲା । ଏହା ପରେ ବାଚସ୍ପତି ଶ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଥିଲେ ।
ସୋମବାର ଦିନ ପୂର୍ବାହ୍ନ ୧୦ଟା ୩୦ରେ ଲୋକସେବା ଭବନର କନଭେନସନ୍ ହଲ୍ ଠାରେ ଚଳିତ ବିଧାନସଭା ବଜେଟ୍ ଅଧିବେଶନର ସ୍ୱତନ୍ତ୍ର ଦିନିକିଆ ବୈଠକ ଅନୁଷ୍ଠିତ ହୋଇଥିଲା । ତୃତୀୟ କରୋନା ପଜିଟିଭ୍ ଙ୍କ ସଂସ୍ପର୍ଶରେ କେତେକ ବିଧାନସଭା କର୍ମଚାରୀ ଆସିଥିବାରୁ ଏହି ବୈଠକ ବିଧାନସଭା ବଦଳରେ ଲୋକସେବା ଭବନ ଠାରେ ବସିଥିଲା । ବୈଠକ ପୂର୍ବରୁ ଲୋକସେବା ଭବନର କନଭେନସନ୍ ହଲ୍ କୁ ସାନିଟାଇଜ୍ କରାଯାଇଥିଲା । ପୂର୍ବାହ୍ନ ୧୦ଟା ୩୦ରେ ବୈଠକ ଆରମ୍ଭ ହୋଇଥିଲା । ଏହି ବୈଠକରେ ସମୟ ଅଭାବରୁ ଆଲୋଚନା ପରିସରଭୁକ୍ତ ହୋଇପାରିନଥିବା ବିଧାନସଭା ସମେତ ମୋଟ ୪୨ ଟି ବିଭାଗର ଖର୍ଚ୍ଚ ଦାବି ଗିଲୋଟିନ୍ ଦ୍ୱାରା ଗୃହୀତ ହୋଇଥିଲା । ପୂର୍ବରୁ କେବଳ ଅନୁସୂଚିତ ଜାତି ଓ ଜନଜାତି ବିଭାଗର ଖଚ୍ଚ ଦାବି ବିଧାନସଭାରେ ପାରିତ ହୋଇଥିଲା ।
ଏହି ବୈଠକରେ ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀଙ୍କ ବିଭାଗ ସ୍ୱରାଷ୍ଟ୍ର ଏବଂ ସାଧାରଣ ପ୍ରଶାସନ ବିଭାଗ ର ଖର୍ଚ୍ଚ ଦାବି ମଧ୍ୟ ଗିଲୋଟିନ୍ ଦ୍ୱାରା ଗୃହିତ ହୋଇଥିଲା । ତେବେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଏବଂ କଂଗ୍ରେସ ଦଳ ନେତା ନରସିଂହ ମିଶ୍ର ବୈଠକରେ ଉପସ୍ଥିତ ଥିଲେ ।
ଏହି ସମସ୍ତ କାର୍ଯ୍ୟକ୍ରମ ପରେ ପୂର୍ବାହ୍ନ ୧୧ ଟା ୪୬ ରେ ବାଚସ୍ପତି ଗୃହ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ରହିଲା ବୋଲି ଘୋଷଣା କରିଥିଲେ ।