ପିପିଲି– ସାତଶଙ୍ଖ ହାଟରେ ନାହିଁନଥିବା ଭିଡ଼, ମାସ୍କ ବ୍ୟବହାରକାରୀଙ୍କ ସଂଖ୍ୟା କମ୍ ଓ ପ୍ରଶାସନର ସାମାଜିକ ଦୂରତ୍ୱ କଟକଣାକୁ ଲୋକଙ୍କ ଉଲ୍ଲଙ୍ଘନ ନେଇ ବାରମ୍ବାର ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଶେଷରେ ଚେତିଛି ଜିଲ୍ଲା ପ୍ରଶାସନ । ଏହି ହାଟକୁ ଏବେ ନିକଟସ୍ଥ ମେଲଣ ପଡ଼ିଆକୁ ସ୍ଥାନାନ୍ତର କରାଯାଇଛି । ପ୍ରଶାସନର ନିର୍ଦ୍ଦେଶ ମୁତାବକ, ସକାଳ ୬ଟାରୁ ସଂନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଖୋଲା ରହିବ ହାଟ ।
ପୁରୀ-ଭୁବନେଶ୍ୱର ୩୧୬ ନଂ ଜାତୀୟ ରାଜପଥର ପୁରୀ ଜିଲ୍ଲା ପିପିଲି ଥାନା ଅନ୍ତର୍ଗତ ସାତଶଙ୍ଖ ଠାରେ ପ୍ରତି ମଙ୍ଗଳବାର ଓ ଶନିବାର ସପ୍ତାହରେ ଦୁଇ ଥର ହାଟ ବସିଥାଏ । ଏହି ହାଟରୁ ପନିପରିବା ସାଙ୍ଗକୁ ଚାଉଳ, ଡାଲି, ଅଟା, ସୁଜି ଆଦି ଗ୍ରୋସରୀ ସାମଗ୍ରୀ ଏବଂ ମାଛ, ଶୁଖୁଆ କିଣିବା ପାଇଁ ଲୋକଙ୍କ ଭିଡ଼ ହୋଇଥାଏ । ଏହି ଭିଡ଼କୁ ନିୟନ୍ତ୍ରଣ ଓ ବ୍ୟକ୍ତି ବ୍ୟକ୍ତି ମଧ୍ୟରେ ୨ ମିଟର ସାମାଜିକ ଦୂରତ୍ୱକୁ ରକ୍ଷା କରିବା ଓ କରୋନା ସଂକ୍ରମଣକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ ପ୍ରଶାସନ ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଥିବା ଜଣାପଡିଛି । ପୂର୍ବରୁ ହାଟ ହେଉଥିବା ସ୍ଥାନରେ ଭିଡ଼ ଯୋଗୁଁ ସାମାଜିକ ଦୂରତ୍ୱ ରକ୍ଷା କରିବା ଏକ ପ୍ରକାର ଅସମ୍ଭବ ଥିଲା । ଯାହାକୁ ଦୃଷ୍ଟିରେ ରଖି ପ୍ରଶାସନ ଏଭଳି ନିର୍ଣ୍ଣାୟକ ନିଷ୍ପତି ନେଇଛି । ପ୍ରଶାସନର ଏହି ନିର୍ଦ୍ଦେଶକୁ ମାନି ଆଜି ଦୋକାନୀ ମାନେ ମେଲଣ ପଡିଆକୁ ଯାଇ ପ୍ରଶାସନ ପକ୍ଷରୁ ଚିହ୍ନଟ କରାଯାଇଥିବା ସ୍ଥାନରେ ଗାତ ଖୋଳି ତମ୍ବୁ ବାନ୍ଧୁଥିବା ଦେଖିବାକୁ ମିଳିଛି । ପିପିଲି ତହସିଲଦାର, ଥାନା ଅଧିକାରୀ ଓ ସ୍ଥାନୀୟ ସରପଂଚ ଘଟଣାସ୍ଥଳରେ ପହଂଚି ଏହାର ତଦାରଖ କରୁଛନ୍ତି । ତେବେ ଆଗାମୀ ଦିନରେ ଅମାନିଆ ଲୋକେ ଏହାକୁ କେତେ ମାନୁଛନ୍ତି ତାହା ଦେଖିବାକୁ ବାକି ରହିଲା ।
ଯଶୁଆପୁର ଗ୍ରାମପଂଚାୟତର ସରପଂଚ ଜ୍ୟୋର୍ତିମୟୀ ମହାପାତ୍ର ଏନେଇ ଅଧିକ ସୂଚନା ଦେଇ କହିଛନ୍ତି ଯେ, ପ୍ରାୟ ତିନି ଏକର ପରିମିତ ମେଲଣ ପଡ଼ିଆରେ ଶତାଧିକ ବ୍ୟବସାୟୀ ବସିବାର ବ୍ୟବସ୍ଥା କରାଯାଇଛି । ତହସିଲଦାରଙ୍କ ନିର୍ଦ୍ଦେଶ କ୍ରମେ ଜଣେ ବ୍ୟବସାୟୀ ଓ ଅନ୍ୟ ଜଣେ ବ୍ୟବସାୟୀ ବସିବା ସ୍ଥାନ ମଧ୍ୟରେ ୮ ମିଟର ଦୂରତା ରଖାଯାଇଛି । ଗ୍ରାହକ ଗୋଲ୍ ବୁଲା ଯାଇଥିବା ସ୍ଥାନରେ ଅର୍ଥାତ୍ ୨ ମିଟର ଦୂରରେ ରହି ପନିପରିବା ଓ ଅନ୍ୟାନ୍ୟ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ କିଣିପାରିବେ । ହାଟ ସ୍ଥାନାନ୍ତର ସମ୍ପର୍କରେ ଗାଡି ବୁଲି ମାଇକ୍ ଯୋଗେ ଲୋକଙ୍କୁ ସୂଚନା ଦେଉଛି । ଏପରିକି ହାଟର ପ୍ରବେଶ ପଥରେ ପାଣି ଟ୍ୟାଙ୍କର, ହ୍ୟାଣ୍ଡ ୱାସ୍ ର ବ୍ୟବସ୍ଥା କରାଯିବ । ଲୋକେ ହାଟକୁ ଯିବା ପୂର୍ବରୁ ସେଠାରେ ହାତକୁ ଭଲ ଭାବେ ଧୋଇ ତା ପରେ ହାଟ କରିବେ ।