ଓ୍ଵାଶିଂଟନ– ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଆଗାମୀ ଦୁଇ ସପ୍ତାହରେ କରୋନା ମହାମାରୀରେ ଆମେରିକାରେ ମୃତ୍ୟୁ ସଂଖ୍ୟା ଚରମରେ ପହଂଚିବାର ସମ୍ଭାବନା ରହିଛି । ତେଣୁ ସାମାଜିକ ଦୂରତ୍ୱ ନିର୍ଦ୍ଦେଶକୁ ଏପ୍ରିଲ ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।
ରାଷ୍ଟ୍ରପତି ହ୍ୱାଇଟ୍ ହାଉସର ରୋଜ ଗାର୍ଡେନରେ ଏକ ସଂକ୍ଷିପ୍ତ ସମ୍ବୋଧନରେ କହିଛନ୍ତି ଯେ, ଆଗାମୀ ଦୁଇ ସପ୍ତାହରେ ଆମେରିକାରେ ମୃତ୍ୟୁ ହାର ଚରମ ସୀମାରେ ହେବାର ସମ୍ଭାବନା ରହିଛି । ଟ୍ରମ୍ପ ଏପ୍ରିଲ ୧୨ରେ ପଡୁଥିବା ଖ୍ରୀଷ୍ଟିୟାନଙ୍କ ଉତ୍ସବ ଇଷ୍ଟର ଉଲ୍ଲେଖ କରି କହିଛନ୍ତି ଯେ, ଇଷ୍ଟର ବେଳକୁ ମୃତ୍ୟୁ ସଂଖ୍ୟା ଚରମରେ ଥିବ । ଏହା ପରେ ଏଥିରେ ହ୍ରାସ ଦେଖିବାକୁ ମିଳିପାରେ ଏବଂ ଆଶା କରୁଛୁ ଯେ, ଏହା ପରେ ସ୍ଥିତି ନିୟନ୍ତ୍ରଣକୁ ଆସିବ ।
ଟ୍ରମ୍ପ ନିଜର ଶୀର୍ଷ ଚିକିତ୍ସା ପରାମର୍ଶଦାତା ଆନ୍ଥୋନୀ ଫୌସିଙ୍କ ଏକ ବୟାନ ଉଲ୍ଲେଖ କରି କହିଛନ୍ତି ଯେ, କରୋନା ଭାଇରସରେ ଆମେରିକାରେ ଏକ ଲକ୍ଷରୁ ଦୁଇ ଲକ୍ଷ ଲୋକଙ୍କ ପ୍ରାଣହାନୀ ଘଟିବାର ଅନୁମାନ କରାଯାଉଛି । ଏହା ଏକ ଭୟାନକ ସଂଖ୍ୟା, ମାତ୍ର ଅତ୍ୟଧିକ ସଂକ୍ରାମକର ପ୍ରସାରକୁ ରୋକିବା ପାଇଁ ଏ ପର୍ଯ୍ୟନ୍ତ କରାଯାଇଥିବା ଲକଡାଉନ୍ ଆଦେଶ ଏବଂ ଅନ୍ୟ ପ୍ରୟାସ କାର୍ଯ୍ୟକାରୀ ହୋଇନଥିଲେ ସ୍ଥିତି ଆହୁରି ଭୟାବହ ହୋଇଥାନ୍ତା । ଫଳରେ ୨.୨ ମିଲିୟନ ଲୋକଙ୍କ ମୃତ୍ୟୁ ଘଟିବାର ସମ୍ଭାବନା ବଢି ଯାଇଥାନ୍ତା ।
ଜନ୍ସ ହପିକିନ୍ସ ୟୁନିଭର୍ସିଟିର ଏକ ତଥ୍ୟ ଅନୁସାରେ ଆମେରିକାରେ କରୋନା ଭାଇରସରେ ପାଖାପାଖି ୧ ଲକ୍ଷ ୪୦ ହଜାର ମାମଲା ସାମ୍ନାକୁ ଆସିଛି । ଏହି ମହାମାରୀରେ ୨୪୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି ।