ଜୟପୁର– ମାର୍ଚ୍ଚ ୨୯ ତାରିଖ ସୁଦ୍ଧା ବାହାର ରାଜ୍ୟରୁ ଫେରିଛନ୍ତି ୩୭୦୦ ପ୍ରବାସୀ । ଏହି ପ୍ରବାସୀଙ୍କୁ ନେଇ ଚିନ୍ତାରେ ରାଜ୍ୟ ସରକାର ଓ ଜିଲା ପ୍ରଶାସନ । ବାହାର ରାଜ୍ୟରୁ ବହୁ ଲୋକ ଆସି କୋରାପୁଟ ଜିଲାରେ ରହିଥିବା ବେଳେ ଏମାନଙ୍କୁ ଖୋଜି ବାହାର କରିବା ପାଇଁ ପ୍ରଶାସନକୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ବାହାର ରାଜ୍ୟରୁ ଆସିଥିଲେ ସୁଦ୍ଧା ଏମାନେ ପ୍ରଶାସନକୁ ସହଯୋଗ କରୁନଥିବା ଜଣାଯାଇଛି । ଦାଦନ ଶ୍ରମିକ ବି ବାହାରୁ ରାଜ୍ୟରୁ ଫେରି ଆସିଥିବା ବେଳେ ବହୁ ଶ୍ରମିକ ପ୍ରଶାସନକୁ ଜଣାଇ ନଥିବା ଜଣାଯାଇଛି । ତେଣୁ, ତୁରନ୍ତ ପ୍ରଶାସନ ବାହାର ରାଜ୍ୟରୁ ଆସି କୋରାପୁଟ ଜିଲାରେ ରହିଥିବା ପ୍ରବାସୀଙ୍କୁ ଠାବ କରିବାକୁ ସାଧାରଣରେ ଦାବୀ ହୋଇଛି ।
କୋରାନା ମୁକାବିଲା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । କରୋନା ଭୂତାଣୁ ସଂକ୍ରମଣକୁ ରୋକିବାକୁ ସବୁ ସ୍ତରରେ ଉଦ୍ୟମ ଚଳାଇଛନ୍ତି ରାଜ୍ୟ ସରକାର । ସନ୍ଦିଗ୍ଧ ମାନଙ୍କୁ ୧୪ ଦିନ କ୍ୱାରେଟାଂଇନରେ ରଖି ଚିକିତ୍ସା କରିବା ପାଇଁ ବ୍ୟବସ୍ଥା କରାଯାଇଛି । କୋରାପୁଟ ଜିଲାର ୨୪୦ ପଂଚାୟତ ୪ଟି ପୌରାଚଂଳ ଏନଏସିରେ ଥିବା ବିଦ୍ୟାଳୟ, ପଂଚାୟତ କାର୍ଯ୍ୟାଳୟରେ ଖୋଲାଯାଇଛି । ମୋଟ୍ ୨୪୪ ଟି ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ୧୫ ହଜାର ୧ ଶହ ୧୫ଟି ଶଯ୍ୟା ପକାଯାଇଛି । ପ୍ରତ୍ୟେକ ଶଯ୍ୟାକୁ ୧ ମିଟର ଦୂରତାରେ ପକାଯାଇଛି । ସେମାନଙ୍କୁ କରୋନା ଭୂତାଣୁ ସଂକ୍ରମଣରୁ ମୁକ୍ତ ରଖିବା ସହିତ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା କିପରି ଠିକ୍ ରହିବ ତାହା ଉପରେ ଗୁରୁତ୍ୱ ଦିଆଯାଇଛି । ବିଶେଷ କରି ସେମାନଙ୍କ ପାଇଁ ସାମାଜିକ ଗୁରୁତ୍ୱ ଓ ସଙ୍ଗରୋଧର ଅବଶ୍ୟକତା ରହିଛି । ବିଦେଶି ଓ ରାଜ୍ୟ ବାହାରୁ ଆସିଥିବା ଲୋକଙ୍କୁ ନେଇ ପ୍ରଶାସନର ଚିନ୍ତା ବଢିଛି । ୩ ହଜାର ୭ ଶହ ଲୋକ ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, ବେଙ୍ଗାଲୁରୁ, ଦିଲ୍ଲୀ, ହାଇଦ୍ରାବାଦ, ଚେନ୍ନାଇ, ପୁନେ, ମଧ୍ୟ ପ୍ରଦେଶ, ଆଣ୍ଡାମାନ, କର୍ଣ୍ଣାଟକ, ନେପାଳରୁ ଫେରିଆସିଛନ୍ତି । ଯାହାକୁ ଦୃଷ୍ଟିରେ ରଖି ଜିଲାର କୋରାପୁଟ ସହରରେ ୬ଟି, ଜୟପୁର ୩ଟି, କୋଟପାଡରେ ୩ଟି, ସୁନାବେଡ଼ାରେ ୬ଟି ସଙ୍ଗରୋଧ କେନ୍ଦ୍ର ଖୋଲାଯାଇଛି । ସ୍ୱାସ୍ଥ୍ୟ କେନ୍ଦ୍ର ଓ ସଙ୍ଗରୋଧ କେନ୍ଦ୍ର ରେ ଇନଭରଟର, ବିଦ୍ୟୁତ , ପାନୀୟ ଜଳ, ମେଡିସିନ ଓ ଖାଦ୍ୟ, ପାନୀୟର ବ୍ୟବସ୍ଥା ମଧ୍ୟ କରାଯାଇଥିବା ଜଣାଯାଇଛି ।