ବାରିପଦା– ମୟୂରଭଞ୍ଜ ଜିଲ୍ଲାରେ ଲକ୍ ଡ଼ାଉନ ଷଷ୍ଠ ଦିନରେ ପହଁଚିଥିବା ବେଳେ ଗତ ୫ ଦିନ ମଧ୍ୟରେ ଲକ୍ ଡ଼ାଉନ ନିମନ୍ତେ ଜାରି କରାଯାଇଥିବା ମାର୍ଗଦର୍ଶୀକାକୁ ଅବମାନନା ଅଭିଯୋଗରେ ଜିଲ୍ଲାର ବିଭିନ୍ନ ଥାନାଗୁଡ଼ିକରେ ମୋଟ ୯୩ ଟି ମାମଲା ରୁଜ୍ଜୁ କରାଯାଇ ୧୩୩ ଜଣଙ୍କୁ ପୁଲିସ ପକ୍ଷରୁ ଗିରଫ କରାଯିବା ପରେ ଜାମିନରେ ଛାଡ଼ି ଦିଆଯାଇଛି । ସେହିପରି ବେପରୁଆ ଭାବେ ଟ୍ରାଫିକ୍ ନିୟମକୁ ଉଲ୍ଲଙ୍ଘନ କରି ଗାଡ଼ି ଚଳାଇବା ଅଭିଯୋଗରେ ମୋଟ୍ ୧ ଲକ୍ଷ ୨୩ ହଜାର ୯ ଶହ ଟଙ୍କା ଜୋରିମାନା ଆଦାୟ କରାଯିବା ସାଙ୍ଗକୁ ୯୫ଟି ଚାରି ଚକିଆ ଓ ଦୁଇ ଚକିଆ ଯାନକୁ ଜବତ କରାଯାଇଛି ବୋଲି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସ୍ମିଥ ପି. ପୁରୁଷୋତମ ଦାସଙ୍କ ସୂତ୍ରରୁ ଜଣାପଡ଼ିଛି ।
ଏଥି ସହିତ କରୋନା ଭୂତାଣୁର ମୁକାବିଲା ନିମନ୍ତେ ମୟୂରଭଞ୍ଜ ଜିଲ୍ଲାକୁ ସଂଯୋଗ କରୁଥିବା ବହଳଦା ଥାନା ଅଧୀନ ଚାପଲା, ଘାଗରବେଢ଼ା ଥାନା ଅଧୀନ ବାଲିବନ୍ଧ, ଜାମଦା ଥାନା ଅଧୀନ ବିଘିଆବେଡ଼ା, ବରଗୋଡ଼ା, ଚଣ୍ଡିଖମଣ, ଝାରପୋଖରୀଆ ଥାନା ଅଧୀନ ଜାମଶୋଳା ଓ ରତିଲ, ରରୁଆଁ ଥାନା ଅଧୀନ ଦେନୁଆ, ଜାମିଟି, ବାଣିସାଗର ଛକ, ତିରିଂ ଥାନା ଅଧୀନ ନାଇଲନ ଘାଟି, ଯଦୁନାଥପୁର, ଜଟା, ରାମବେଢ଼ା, ଯଶୀପୁର ଥାନା ଅଧୀନ ଜାମନ଼ାଳିଆ, ଚାନ୍ଦୁଆ ଥାନା ଅଧୀନ ଶୁଳିଆପଦା ବଣ୍ଡାବଛକ, ଶୁଳିଆପଦା ଥାନା ଅଧୀନ ବାଘଡ଼ା, ଧବଣି ଓ କାଠଶିରିଷି, ମୋରଡ଼ା ଥାନା ଅଧୀନ ଟୁକପଳାଶିଆ, ରାସଗୋବିନ୍ଦପୁର ଥାନା ଅଧୀନ ସୁବର୍ଣ୍ଣଡ଼ିହି, ଟିକାୟତପୁର, କମାରଡ଼ିହା, କପ୍ତିପଦା ଥାନା ଅଧୀନ ଝରଣାଘାଟି,ଦୁଭାଇ, ଉଦଳା ଥାନା ଅଧୀନ ଅଙ୍କୁରପୁର, ବୈଶିଙ୍ଗା ଥାନା ଅଧୀନ ପାଇକସାହି, ବାମଦା, କଳମା ଏବଂ ବଡ଼ସାହି ଥାନା ଅଧୀନ ମଙ୍ଗଳପୁର ଆଦି ୧୫ଟି ଥାନା ଥାନା ଅଧୀନରେ ଥିବା ଆନ୍ତଃରାଜ୍ୟ ସୀମାକୁ ସିଲ୍ କରି ଦିଆଯାଇଛି । ଜିଲ୍ଲାର ସଦର ମହକୁମା ବାରିପଦା ସହ ସମସ୍ତ ଥାନାଗୁଡ଼ିକ ପକ୍ଷରୁ ସକାଳ ୭ରୁ ସନ୍ଧ୍ୟା ୭ ପର୍ଯ୍ୟନ୍ତ ପେଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । । ଏହି ସମୟରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ବ୍ୟତୀତ ସମସ୍ତ ଦୋକାନ ବଜାର ବନ୍ଦ ରହିଛି ।