ବାରିପଦା– ଝାଡ଼ଖଣ୍ଡ ରାଜ୍ୟର ଦଲମା ଜଙ୍ଗଲରୁ ଆସିଥିବା ହାତୀ ପଲ ଏବେ ସହର ମୁହାଁ । ବାରିପଦା ପୌରବାସୀ କୋଭିଡ଼-୧୯କୁ ନେଇ ଶଙ୍କା ଓ ଆଶଙ୍କା ମଧ୍ୟଦେଇ ଗତି କରୁଥିବା ବେଳେ ଏବେ ଝାଡ଼ଖଣ୍ଡୀ ହାତୀକୁ ନେଇ ଭୟଭିତ ହୋଇପଡ଼ିଛନ୍ତି । ରବିବାର ରାତି ପ୍ରାୟ ୨ଟା ସମୟରେ ଦେଉଳି ରେଞ୍ଜରୁ ପ୍ରାୟ ୫ରୁ ଅଧିକ ଏକ ଝାଡ଼ଖଣ୍ଡୀ ହାତୀ ଦଳ ବାରିପଦା ସହର ମଧ୍ୟଦେଇ ଯାଇଥିବା ୧୮ ନମ୍ବର ଜାତୀୟ ରାଜପଥର ପାଶ୍ୱର୍ରେ ଥିବା ଦାରୋଗାଡ଼ାହି ଶ୍ମଶାନ ନିକଟରେ ପହଁଚିଥିଲେ । ଖବରପାଇ ବାରିପଦା ବନଖଣ୍ଡ ଅଧିକାରୀ ସ୍ୱୟମ୍ ମଲ୍ଲିକଙ୍କ ସହିତ ବନ କର୍ମଚାରୀମାନେ ହାତୀ ପଲ ଘଉଡ଼ାଇବା କାର୍ଯ୍ୟ ଆରମ୍ଭ କରିବା ସଂଗେସଂଗେ ସେମାନଙ୍କ ଗତିବିଧି ଉପରେ ନଜର ରଖିଥିଲେ । ଭୋର ୪ଟା ସୁଦ୍ଧା ବନ ବିଭାଗ କର୍ମଚାରୀମାନଙ୍କର ଉଦ୍ୟମ ଫଳରେ ହାତୀ ପଲ ବାରିପଦା ସହର ମଧ୍ୟକୁ ପ୍ରବେଶ କରି ନ ପାରି ସେହି ଶ୍ମଶାନ ନିକଟରୁ ଫେରିଯାଇଥିଲେ । ଏହି ହାତୀ ପଲ ଦେଉଳି ରେଞ୍ଜ ଅଧୀନ ବାଙ୍କିଶୋଳ ସଂରକ୍ଷିତ ଶାଗୁଆନ ଜଙ୍ଗଲ ମଧ୍ୟରେ ରହିଥିବାର ବାରିପଦା ବନଖଣ୍ଡ ଅଧିକାରୀ ସ୍ୱୟମ୍ ମଲ୍ଲିକଙ୍କ ସୂତ୍ରରୁ ଜଣାପଡ଼ିଛି । ବନ ବିଭାଗ ନିକଟରୁ ସୂଚନା ପାଇବା ପରେ ବିଦ୍ୟୁତ୍ ବିଭାଗ ପକ୍ଷରୁ ବିଦ୍ୟୁତ୍ ସଂଯୋଗକୁ ବିଚ୍ଛିନ୍ନ କରାଯାଇଥିଲା । ସେହିପରି ରବିବାର ସନ୍ଧ୍ୟାରେ ରାସଗୋବିନ୍ଦପୁର ରେଞ୍ଜ ଅଧୀନରେ ଚିତ୍ରଡ଼ା ଅଂଚଳ ପାଟପୁର ବୈଷୟିକ ଶିକ୍ଷାନୁଷ୍ଠାନ ନିକଟରେ ପ୍ରାୟ ୧୫ରୁ ଅଧିକ ଅନ୍ୟ ଏକ ଝାଡ଼ଖଣ୍ଡୀ ହାତୀ ପଲ ଜନବସତି ମୁହାଁ ହୋଇଥିଲେ ଓ ବନ କର୍ମଚାରୀଙ୍କ ଉଦ୍ୟମ କ୍ରମେ ସେମାନେ ଫେରିଯାଇଥିଲେ । ଲକ୍ ଡ଼ାଇନକୁ ଅଣଦେଖା କରି ହାତୀମାନଙ୍କୁ ଦେଖିବା ନିମନ୍ତେ ଶହ ଶହ ସଂଖ୍ୟାରେ ସ୍ଥାନୀୟ ଗ୍ରାମବାସୀମାନେ ଏକତ୍ରିତ ହୋଇ ଭିଡ଼ ଜମାଇବାରୁ ବନ କର୍ମଚାରୀମାନେ ପୁଲିସର ସହାୟତା ନେଇଥିଲେ ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ପ୍ରାୟ ଏକ ମାସ ହେବ ହାତୀପଲ ଦଲମା ଜଙ୍ଗଲକୁ ନଫେରି ରାସଗୋବିନ୍ଦପୁର ଓ ଦେଉଳି ରେଞ୍ଜ ମଧ୍ୟରେ ଘୁରି ବୁଲୁଥିବାର ଜଣାପଡ଼ିଛି ।