-
ଆଜିଠୁ ଘରେ ବସି ପାଇବେ ଓମଫେଡ୍ କ୍ଷୀର ଓ ଦୁଗ୍ଧ ଜାତ ସାମଗ୍ରୀ
ବାଲେଶ୍ବର,(କୃଷ୍ଣ କୁମାର ମହାନ୍ତିଙ୍କ ଠାରୁ) : ବର୍ତ୍ତମାନ ଲକ୍ ଡାଉନ୍ ପରିସ୍ଥିତି ମୁକାବିଲା କରିବା ପାଇଁ ଜନସାଧାରଣଙ୍କୁ ବାହାରକୁ ଯିବାରେ କଟକଣା କରାଯାଇଛି। ଫଳରେ ଅନେକେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ପାଇବା ପାଇଁ ନାନାପ୍ରକାର ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି। ଏହାକୁ ଦୃଷ୍ଟିରେ ରଖି ନିଜର ଆଦରଣୀୟ ଗ୍ରାହକମାନଙ୍କ ପାଇଁ ବାଲେଶ୍ଵରର ରେମୁଣା ଠାରେ ଥିବା ରାଜ୍ୟ ସରକାରଙ୍କ ‘ଓମଫେଡ୍’ ବାଲେଶ୍ଵର ଡେରୀ ଆଜି ଠୁ ଆରମ୍ଭ କରିଛି ଡୋର୍ ଷ୍ଟେପ୍ ଦୁଗ୍ଧ ସେବା। ଏ ସମ୍ପର୍କରେ ବାଲେଶ୍ବର ଡେରୀ (ଓମଫେଡ୍)ର ପ୍ଲାଣ୍ଟ୍ ମ୍ୟାନେଜର୍ ଜିଲ୍ଲା ପ୍ରଶାସନକୁ ଏକ ପତ୍ର ମାଧ୍ୟମରେ ସୂଚନା ଦେଇଛନ୍ତି।
ଏହି ସୂଚନା ଅନୁସାରେ ବାଲେଶ୍ବରରେ ଥିବା ଓମଫେଡ୍ ଡେରୀ ପ୍ଲାଣ୍ଟ୍ ଆଜି ଠାରୁ ଘରେ ଘରେ ପାଉଚ୍ କ୍ଷୀର ସମେତ ଦୁଗ୍ଧଜାତ ସମସ୍ତ ଉତ୍ପାଦ ଖାଉଟିଙ୍କ ଘରେ ଚାହିଦା ମୁତାବକ ପହଞ୍ଚାଇବ। ଯେଉଁମାନେ ଘରୁ ବାହାରି ପାରୁ ନାହାନ୍ତି ଏବଂ ଘରେ ବସି ଓମଫେଡ୍ ଉତ୍ପାଦ ପାଇବାକୁ ଚାହୁଁଛନ୍ତି, ସେମାନେ ଶ୍ରୀ ନିରଞ୍ଜନ ଦାସ ସାମନ୍ତଙ୍କୁ ୮୮୯୫୦୫୨୬୯୬ ନମ୍ବରରେ, ଶ୍ରୀ ଦୀପ୍ତେନ୍ଦୁ ରାଉତଙ୍କୁ ୯୪୩୮୮୬୨୨୨୦ ନମ୍ବରେ, ଶ୍ରୀ ଗୋପନାରାୟଣ କରଙ୍କୁ ୯୮୬୧୧୦୭୫୮୭ ନମ୍ବରରେ ଏବଂ ପ୍ଲାଣ୍ଟ୍ ମ୍ୟାନେଜର୍ ଡକ୍ଟର ବିଶ୍ବରଂଜନ ତ୍ରିପାଠୀଙ୍କୁ ୭୬୮୪୮୧୮୬୮୬ ନମ୍ବରରେ ଯୋଗାଯୋଗ କରିବାକୁ କୁହାଯାଇଛି। ଏହି ଫୋନ୍ ନମ୍ବରରେ ଦୁଗ୍ଧ ଏବଂ ଦୁଗ୍ଧଜାତୀୟ ଯେକୌଣସି ସାମଗ୍ରୀ ଅର୍ଡର କଲେ, ତାହା ଗ୍ରାହକଙ୍କ ଘରେ ପହଞ୍ଚାଇ ଦିଆଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ସୂଚନା ସାମାଜିକ ଗଣମାଧ୍ୟମରେ ଦିଆ ଯାଇଛି।
ଲକ୍ ଡାଉନ୍ ପର୍ଯ୍ୟନ୍ତ ଓମଫେଡ୍ ପକ୍ଷରୁ ଏହି ସେବା ଚାଲୁ ରହିବ। ପ୍ରତିଦିନ ସକାଳ ଓ ସନ୍ଧ୍ୟା ସମୟରେ ଓମଫେଡ୍ର ନିଜସ୍ବ ଦୁଇଟି ଗାଡ଼ି ସହରର ବିଭିନ୍ନ ଗଳିକନ୍ଦି ପରିକ୍ରମା କରିବ ଏବଂ ପ୍ରାପ୍ତ ଅର୍ଡର ଅନୁସାରେ ସାମଗ୍ରୀ ବିତରଣ କରିବ ବୋଲି ମ୍ୟାନେଜର ଶ୍ରୀ ତ୍ରିପାଠୀ କହିଛନ୍ତି। ଏପରି ଏକ ଜଟିଳ ସମୟରେ ଓମଫେଡ୍ର ଏ ପ୍ରକାର ଜନହିତକର ସେବା ସାଧାରଣଙ୍କ ଉପକାରରେ ଆସିବ ବୋଲି ଆଶା କରାଯାଉଛି।