-
ଘରେ ରହି ପିଲାଙ୍କୁ ଶିଖାନ୍ତୁ ନାଚ ଓ ଅଭିନୟର ନାନା ପାଠ
ବାଲେଶ୍ବର(କୃଷ୍ଣ କୁମାର ମହାନ୍ତି ଙ୍କ ଠାରୁ): କରୋନା ମୁକାବିଲା ପାଇଁ ସାରା ଦେଶ ଲକ୍-ଡାଉନରେ ଥିବାବେଳେ ସମ୍ପୂର୍ଣ୍ଣ ଶିକ୍ଷା ବ୍ୟବସ୍ଥା ଭୁଶୁଡି ପଡିଛି କହିଲେ ଚଳେ। ଏପରି ସ୍ଥିତିରେ ବାଲେଶ୍ବରର ଅନ୍ୟତମ ନୃତ୍ୟ ପ୍ରତିଷ୍ଠାନ ‘ନାଚ୍’ ଆରମ୍ଭ କରିଛି ୨୧ ଦିନିଆ ଅନ୍ ଲାଇନ୍ ଲକ୍ ଡାଉନ୍ କ୍ୟାମ୍ପ୍।
ଘରେ ରହି ପର୍ଯ୍ୟାପ୍ତ ସମୟ ମିଳୁଥିବାରୁ ଏହି ସମୟକୁ ଉପଯୋଗ କରିବାକୁ ‘ନାଚ୍’ର ଏ ପ୍ରୟାସ ଅଭିନନ୍ଦନୀୟ ବୋଲି କୁହାଯାଇଛି। ଏଥିରେ ପିଲାମାନଙ୍କ ପାଇଁ ୩ଟି ଗ୍ରୁପରେ ଶିକ୍ଷା ବ୍ୟବସ୍ଥା କରାଯାଇଛି। ଯୋଗ, ଶ୍ଳୋକ ଉଚ୍ଚାରଣ, ଷ୍ଟୋରି ଟାଇମ୍, ରାଇମ୍, ଇନଡୋର୍ ଗେମ୍, କାର୍ଡ ପ୍ରସ୍ତୁତି, ଅଭିନୟ, ନାଚ ମୁଦ୍ରା, ବାପାମା’ଙ୍କୁ ସମ୍ମାନ ଆଦି ବିଷୟରେ ପିଲାମାନଙ୍କୁ ଘରେ ବସି ଅନ୍ ଲାଇନରେ ଶିକ୍ଷା ଦିଆଯାଉଛି।
ଏହି ଘଡିସନ୍ଧି ମୁହୂର୍ତ୍ତରେ ପିଲାମାନଙ୍କୁ ସୁରକ୍ଷା ଦେବାକୁ ଯାଇ ‘ନାଚ୍’ ଅନୁଷ୍ଠାନର ଏଭଳି ପଦକ୍ଷେପ ଅଭିଭାବକ ମହଲରେ ଆନନ୍ଦ ସୃଷ୍ଟି କରିଛି।
ଏହି ଅନଲାଇନ୍ ଶିବିରରେ ବିଭିନ୍ନ ଅଞ୍ଚଳର ପିଲାମାନେ ଅଂଶଗ୍ରହଣ କରୁଥିବା ବେଳେ ହ୍ବାଟସ ଆପ୍ ଗ୍ରୁପ୍ ମାଧ୍ୟମରେ ସମସ୍ତଙ୍କୁ ଯୋଡିବାର ଉଦ୍ୟମ କରାଯାଇଛି ବୋଲି ଅନୁଷ୍ଠାନର ଅଧ୍ୟକ୍ଷା ରୋନାଲିଶା ପଣ୍ଡା କହିଛନ୍ତି। ଏହି ଶିକ୍ଷା ବ୍ୟବସ୍ଥାକୁ ‘ଲର୍ନ ଓ୍ଵିଥ୍ ଫନ୍’ ନାମକରଣ କରାଯାଇଥିବା ବେଳେ ପିଲାମାନେ ଏଥିରେ ଭାଗ ନେଇ ବିଭିନ୍ନ ବିଭାଗରେ ଶିକ୍ଷା ଗ୍ରହଣ କରୁଛନ୍ତି। ପିଲାମାନଙ୍କୁ ଭିଡିଓ ଓ ଅଡିଓ ମାଧ୍ୟମରେ ଶ୍ଳୋକ, ରାଇମ୍ ଏବଂ ନାଚର ବିଭିନ୍ନ ମୁଦ୍ରା ବିଷୟରେ ଶିକ୍ଷା ଦିଆ ଯାଉଛି।
ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱରର ଆଇଟି ସଂସ୍ଥା ଇନଭିନସିକ୍ସ୍ ସଲ୍ୟୁସନସ ସମସ୍ତ ପ୍ରକାର ଅନ୍ ଲାଇନ୍ ପାଠ୍ୟକ୍ରମ ଯୋଗାଉଛନ୍ତି ବୋଲି ‘ନାଚ୍’ର ମୁଖପାତ୍ର ଅରୁଣାଂଶୁ ପାଣିଗ୍ରାହୀ ଗଣମାଧ୍ୟମକୁ କହିଛନ୍ତି।