
ବ୍ରହ୍ମପୁର: ବ୍ରହ୍ମପୁର ମହାନଗର ନିଗମର ୪୦ଟି ୱାର୍ଡରେ ବସବାସ କରୁଥିବା ଗରିବ, ଖଟିଖିଆ, ଦିନମଜୁରୀଆ, ଅସହାୟ ପରିବାରକୁ ପ୍ରଥମ ପର୍ଯ୍ୟାୟରେ ୧୦ହଜାର ସୁଖିଲା ଖାଦ୍ୟ ପ୍ୟାକେଟ୍ ବାଣ୍ଟିବା ପାଇଁ ବିଏମ୍ସି ପକ୍ଷରୁ ଯୋଜନାକରି ରୂପରେଖ ପ୍ରସ୍ତୁତ ହୋଇଥିବା ବିଏମ୍ସି କମିଶନର ଚକ୍ରବର୍ତ୍ତି ସିଂ ରାଥୋଡ ସୂଚନା ଦେଇଛନ୍ତି । ଏହି ମର୍ମରେ ସହରର ବହୁ ବୃଦ୍ଧିଜୀବୀ, ସ୍ୱେଚ୍ଛାସେବୀ, ସଙ୍ଗଠନ ଓ ସହୃଦୟ ବ୍ୟବସାୟୀମାନେ ବିଏମ୍ସିକୁ ଉକ୍ତ ଖାଦ୍ୟ ପକେଟ୍ ବଣ୍ଟନ ପାଇଁ ସମସ୍ତ ଖର୍ଚ୍ଚ ବହନ କରୁଥିବା କମିଶନର ସୂଚନା ଦେଇଛନ୍ତି । ଗୋଟିଏ ଗୋଟିଏ ପ୍ୟାକେଟ୍ରେ ୫କେଜି ଚାଉଳ, ୨କେଜି ସୁଜି, ଡାଲି ଦେଢ଼କେଜି, ତେଲ ୧ଲିଟର ଆବଶ୍ୟକତାକୁ ଦେଖି ପ୍ରଦାନ କରାଯିବ । ଏହି ବଣ୍ଟନ ପ୍ରକ୍ରିୟା ଖୁବଶୀଘ୍ର ଆରମ୍ଭ ହେବ ବୋଲି ଜଣାପଡିଥିବା ବେଳେ ବିଏମ୍ସିର ଏହି ପଦକ୍ଷେପରେ ବହୁ ଗରିବ ଉପକୃତ ହେବେ ବୋଲି ଜଣାପଡିଛି । ତେଣୁ ଯେକୌଣସି ବ୍ୟକ୍ତି ଯଦି ସାହାଯ୍ୟ ପାଇଁ ବିଏମ୍ସିର ଏହି କାର୍ଯ୍ୟକୁ ସହଯୋଗର ହାତ ବଢ଼ାଇପାରିବେ । ଏଥିନିମନ୍ତେ କମିଶନରଙ୍କ ସହ ଯୋଗାଯୋଗ କରିପାରିବେ ବୋଲି ସେ ସହରବାସୀଙ୍କୁ ଅନୁରୋଧ କରିଛନ୍ତି । ଏହି ପ୍ୟାକେଟ୍କୁ ମିଲିଟେରୀ ଲାଇନ୍ସ୍ଥିତ ବାଳିକା ବିଦ୍ୟାଳୟରେ ପ୍ୟାକିଂ କରାଯାଉଥିବା ଜଣାପଡିଛି ।