-
ଜିଲ୍ଲାର ୫୦୩ ପଞ୍ଚାୟତ, ୧୭ଟି ଏନ୍ଏସି ସହ ବ୍ରହ୍ମପୁର ମ୍ୟୁନସିପାଲଟିରେ ଆରମ୍ଭ
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ୨୨ଟି ବ୍ଲକ୍ ଓ ୧୭ଟି ଏନ୍ଏସି ଅଞ୍ଚଳରେ ରବିବାର ଦିନ ଠାରୁ ଗରିବ, ଦିନମଜୁରୀଆ, ଖଟିଖିଆ, ଭିକାରୀ, ବେସାହାରାଙ୍କୁ ଖାଦ୍ୟ ଦେବାପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ପ୍ରତି ବ୍ଲକ୍ର ବିଡିଓ ଓ ଏନ୍ଏସିର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାରେ ଥିବା ୫୦୩ଟି ପଞ୍ଚାୟତରେ ପ୍ରତି ପଞ୍ଚାୟତରେ ୧୦୦ଜଣଙ୍କୁ ରନ୍ଧା ଖାଦ୍ୟ ଯୋଗାଇବା ପାଇଁ ପ୍ରଥମ ପର୍ଯ୍ୟାୟରେ ବ୍ଲକ୍ କର୍ତ୍ତୃପକ୍ଷଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ସେହିଭଳି ଏନ୍ଏସି, ମ୍ୟୁନସିପାଲଟି, ବ୍ରହ୍ମପୁର ବିଏମ୍ସି ଅଞ୍ଚଳରେ ମଧ୍ୟ ଅନୁରୂପ ଭାବେ ସୁଖିଲା ଖାଦ୍ୟ ଦେବାପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଏହି ମର୍ମରେ ରବିବାର ଦିନ ଜିଲ୍ଲାରେ ଥିବା ସମସ୍ତ ପଞ୍ଚାୟତରେ ଏମ୍ଡିଏମ୍ ରୋଷେଇ କରୁଥିବା କର୍ମୀଙ୍କ ସହଯୋଗରେ ଭିନ୍ନ ଭିନ୍ନ ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ସହାୟତାରେ ନିରାଶ୍ରୟ ଓ ବେସାହାରାଙ୍କୁ ରନ୍ଧା ଖାଦ୍ୟ ଓ ସୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି । ଜିଲ୍ଲା ପ୍ରଶାସନର ଏହି ପ୍ରୟାଶକୁ ବୃଦ୍ଧିଜୀବୀ ମହଲରେ ସ୍ୱାଗତ କରାଯାଇଛି ।