-
ଘରେ ବସି ପାଇବେ ଡାକ୍ତରୀ ପରାମର୍ଶ ଓ ଚିକିତ୍ସା
ବାଲେଶ୍ବର, (କୃଷ୍ଣ କୁମାର ମହାନ୍ତି ଙ୍କ ଠାରୁ) : ସାମ୍ପ୍ରତିକ ପରିସ୍ଥିତିରେ ‘କରୋନା’କୁ ନେଇ ସାରା ବିଶ୍ଵ ନାକେଦମ୍ ହେଉଥିବା ବେଳେ ଓଡିଶା ମଧ୍ୟ ସଂକଟରେ ଅଛି। ବାଲେଶ୍ଵର ଜିଲ୍ଲାରେ ମଧ୍ୟ କରୋନାର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଥିବା ଦେଖିବାକୁ ମିଳିଛି। ଆଜି ଠାରୁ ଜିଲ୍ଲାରେ ନାଗରିକମାନଙ୍କ ପାଇଁ ଟେଲି ସ୍ବାସ୍ଥ୍ୟସେବା ଆରମ୍ଭ ହୋଇଛି। ଏଥିରେ ଗୋଟିଏ ଟେଲିଫୋନ କଲ୍ ମାଧ୍ୟମରେ ଜଣେ ନାଗରିକ ଘରେ ରହି ନିଜ ରୋଗ ସମ୍ପର୍କରେ ଡାକ୍ତରଙ୍କ ସହ ପରାମର୍ଶ କରିପାରିବେ।
ତେବେ କେବଳ କରୋନା ଏବଂ ଜଟିଳ ରୋଗ ସଂକ୍ରାନ୍ତରେ ବୁଝିବା ପାଇଁ ଡାକ୍ତରଖାନା ଯିବାକୁ ପରାମର୍ଶ ଦିଆ ଯାଇଥିବା ବେଳେ ଅନ୍ୟ ଯେକୌଣସି ରୋଗ ପାଇଁ ଡାକ୍ତରଖାନା ନଯିବାକୁ କୁହାଯାଇଛି। ଜଣେ ନିଜର ସ୍ଵାସ୍ଥ୍ୟ ସମସ୍ୟା ସମ୍ପର୍କରେ ପ୍ରଶାସନ ଦ୍ବାରା ନିଯୁକ୍ତ ସ୍ବେଚ୍ଛାସେବୀ ଡାକ୍ତରଙ୍କ ସହିତ ସକାଳ ୯ ରୁ ରାତି ୯ ମଧ୍ୟରେ ପରାମର୍ଶ କରିପାରିବେ।
ଏଥିପାଇଁ ଭେଷଜ ବିଶେଷଜ୍ଞ ଡାକ୍ତର ପ୍ରେମକାନ୍ତ ମହାନ୍ତି, କମ୍ୟୁନିଟି ମେଡିସିନ୍ ବିଶେଷଜ୍ଞ ଡାକ୍ତର ନୂପୁର ପଟ୍ଟନାୟକ କିମ୍ବା ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ସହାୟତା କେନ୍ଦ୍ରକୁ ମୋବାଇଲ୍ ନମ୍ବର ୯୪୩୯୯୮୨୦୧୨, ନିୟନ୍ତ୍ରଣ କକ୍ଷ ନମ୍ବର ୦୬୭୮୨-୨୬୮୮୩୦ରେ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି।
ଯେକୌଣସି ଲୋକ ଘରୁ ନବାହାରି ସାମାଜିକ ଦୂରତା ରକ୍ଷା ପୂର୍ବକ ଏହି ଟେଲି ସ୍ବାସ୍ଥ୍ୟସେବାର ସୁବିଧା ନେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି।