ଜୟପୁର– ରାଜସ୍ଥାନରେ ଆଉ ଜଣେ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହା ସହିତ ରାଜ୍ୟରେ ୧୦ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୫କୁ ବୃଦ୍ଧି ଘଟିଛି । ରବିବାର ସକାଳେ ଚିହ୍ନଟ ହୋଇଥିବା ୫୩ ବର୍ଷୀୟ ମହିଳା ଭିଲବାଡାର ବାସିନ୍ଦା । ସେ ହୃଦଘାତଜନିତ ରୋଗରେ ପୀଡିତ ଅଛନ୍ତି ଏବଂ ବାଙ୍ଗଡ ହସ୍ପିଟାଲରେ ତାଙ୍କର ଏଞ୍ଜିଓପ୍ଲାଷ୍ଟି ହୋଇଥିଲା ।
ଭିଲବାଡା ଓ ସୀମାବର୍ତୀ ଜିଲ୍ଲାରେ ବାଙ୍ଗଡ ହସ୍ପିଟାଲରୁ ହିଁ କରୋନା ଭାଇରସର ସଂକ୍ରମଣ ବ୍ୟାପିଛି । ଏଠାରେ ସଂକ୍ରମିତ ଚିକିତ୍ସକଙ୍କଠୁ ହସ୍ପିଟାଲ କର୍ମଚାରୀ, ରୋଗୀ ଓ ରୋଗୀଙ୍କ ପରିଜନ ପର୍ଯ୍ୟନ୍ତ କରୋନା ବ୍ୟାପିଥିଲା । ଏହା ପରେ ପୂରା ଜିଲ୍ଲା ଏବେ କରୋନା ହବରେ ପରିଣତ ହୋଇଛି । ରାଜ୍ୟରେ ସର୍ବାଧିକ ୨୫ କରୋନା ସଂକ୍ରମିତ କେବଳ ଭିଲବାଡା ଜିଲ୍ଲାରୁ ଅଟନ୍ତି । କରୋନା କାରଣରୁ ଗତ ୧୦ ଦିନ ହେବ ସହରରେ କର୍ଫ୍ୟୁ ଲାଗୁ ହୋଇଛି । ଅନ୍ୟପଟେ ଜୟପୁରର ପରକୋଟା, ଆଜମେରର କିଛି ଇଲାକା, ଝୁନଝୁନୁ ଓ ଚୁରୁ ଜିଲ୍ଲାର ଏକ ଗାଁରୁ କରୋନା ସଂକ୍ରମିତ ଚିହ୍ନଟ ହେବା ପରଠୁ ସହରରେ କର୍ଫ୍ୟୁ ଜାରି କରାଯାଇଛି ।
ଶନିବାର ରାଜ୍ୟରେ ଚାରି ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ଏଥିରୁ ଜଣେ ଆଜମେର ଏବଂ ତିନି ଜଣ ଭିଲବାଡା ଜିଲ୍ଲାରୁ ଥିଲେ । ଆଜମେରରୁ ଚିହ୍ନଟ ରୋଗୀ ସେଲ୍ସମ୍ୟାନ୍ ଥିଲେ ଏବଂ ମାର୍ଚ୍ଚ ୨୨ରେ ପଞ୍ଜାବରୁ ଆଜମେର ଆସିଥିଲେ । ଯୁବକଙ୍କୁ ମାର୍ଚ୍ଚ ୨୬ରେ ଜେଏଲଏନ ହସ୍ପିଟାଲରେ ଭର୍ତି କରାଯାଇଥିଲା । ଅନ୍ୟପଟେ ଭିଲବାଡାରେ ଜଣେ ଯୁବତୀ ସହିତ ଦୁଇ ଜଣ ଯୁବକ କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି । ତିନି ଜଣ ବାଙ୍ଗଡ ହସ୍ପିଟାଲର କର୍ମଚାରୀ । ଯୁବତୀ ହସ୍ପିଟାଲରେ ଟାଇପିଷ୍ଟ ଓ ଦୁଇ ଯୁବକ ମେଲ୍ ନର୍ସ ଥିଲେ ।
ରାଜ୍ୟରେ ରବିବାର ସକାଳ ସୁଦ୍ଧା ୩ ହଜାର ୩୮୧ ନମୂନାର ଯାଂଚ କରାଯାଇଛି । ଏଥିରୁ ୫୫ କରୋନା ପଜିିଟିଭ୍ ଚିହ୍ନଟ ହୋଇଛନ୍ତି । ବାକି ୩ ହଜାର ୧୫୦ ନମୂନା ନେଗେଟିଭ୍ ଆସିଛି । ଅଦ୍ୟାବଧି ୧୭୬ଟି ନମୂନାର ଯାଂଚ ଜାରି ରହିଛି ।