ବ୍ରହ୍ମପୁର: କରୋନା ଭୟାବହତାକୁ ନେଇ ସମଗ୍ର ଦେଶ ତଥା ରାଜ୍ୟକୁ ଲକ୍ଡାଉନ୍ ଘୋଷଣା ହୋଇଛି । ଏହାକୁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ କଡାକଡି ପାଳନ କରାଯାଇଛି । ଜିଲ୍ଲାବାସୀଙ୍କ ସଂପୂର୍ଣ୍ଣ ସୁରକ୍ଷିତ ଦୃଷ୍ଟିରେ ସମସ୍ତ ଅଞ୍ଚଳରେ ଲକ୍ଡାଉନ୍କୁ କଡାକଡି ଭାବେ ପାଳନ କରିବା ପାଇଁ ପୁଲିସ ଓ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ଦିନରାତି କାର୍ଯ୍ୟ କରୁଛନ୍ତି । ଏନେଇ ଜିଲ୍ଲାରେ ବାଇକ୍ ଚଳାଚଳ ସମ୍ପୂର୍ଣ୍ଣ ନିଷେଧ ରହିଛି । ଗ୍ରାମାଞ୍ଚଳଗୁଡିକରେ କରୋନା ନେଇ ଜାରି ହୋଇଥିବା ନିର୍ଦ୍ଦେଶନାମା କାର୍ଯ୍ୟକାରୀ ହେଉଛି କି ନାହିଁ ତାର ଅନୁଧ୍ୟାନ କରିବାକୁ କୁହାଯାଇଛି । ଏହାର ତଦାରଖ କରିବା ନିମନ୍ତେ ଶନିବାର ଡହ ଡହ ଖରାକୁ ଖାତିର ନକରି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ନିଜେ ସାଇକଲରେ ଛତ୍ରପୁର ସହରର ବିଭିନ୍ନ ଗଳିକନ୍ଦି ସାହିକୁ ବୁଲି ତଦାରଖ କରିଥିଲେ । ଯିଏ ଘରୁ ବାହାରେ ବୁଲିଥାନ୍ତି ସେମାନଙ୍କୁ ତାଗିଦ୍ କରିବା ସହ ଘରକୁ ଯିବାକୁ ପରାମର୍ଶ ଦେଇଥାନ୍ତି । ଏଥିସହ ସହରର ପରିମଳକୁ ମଧ୍ୟ ତଦାରଖ କରି ପରିମଳ ଠାକାଦାରଙ୍କ ସହ ଆଲୋଚନା କରିଥିଲେ । ଏହି ସମୟରେ ସହରର ସମସ୍ତ ସ୍ଥାନ ଗୁଡିକ ସଫାସୁତରା ରଖିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଆଳୁ ଗୋଦାମକୁ ଯାଇ ଦର ବୁଝିବା ସହ ଦର ତାଲିକା ଲଗାଇବାକୁ ଦୋକାନୀକୁ ତାଗିଦ କରିଥିଲେ । ଗ୍ରାମାଞ୍ଚଳରେ ଥିବା ନିରାଶ୍ରୟ ଓ ଭିକ୍ଷୁକଙ୍କୁ ଚିହ୍ନଟ କରି ରନ୍ଧାଖାଦ୍ୟ ଦେବାକୁ ବିଡିଓ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।ପ୍ରତିଦିନ ହୋମ୍ କ୍ୱାରାଣ୍ଟାଇନ୍ ରେ ଥିବା ଲୋକଙ୍କ ତଥ୍ୟ ପ୍ରଦାନ କରିବାକୁ ମଧ୍ୟ କୁହାଯାଇଛି । କୈାଣସି ପରିବାର ଅସୁବିଧା ହେଲେ ତୁରନ୍ତ କ୍ୱାରାଣ୍ଟାଇନ୍ କେନ୍ଦ୍ରକୁ ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ଛତ୍ରପୁର ଏନଏସିର ୧୦ନଂ ୱାର୍ଡ ରେ ଅଙ୍ଗନବାଡି ମାନେ ଲୋକମାନଙ୍କୁ ଘରେ ରହିବା ସଂପର୍କରେ ସଚେତନତା କରିବା ସହ ମୁଖ୍ୟମନ୍ତ୍ରୀଙ୍କ ମୋ ଜୀବନ ଶପଥ ବାର୍ତ୍ତା ଘର ଘରେ ଲଗାଇବା କାର୍ଯ୍ୟ ଦେଖିଥିଲେ । ସେଠାରେ ଥିବା ଅଙ୍ଗନବାଡି ମଂଜୁବାଳା ପାଣିଗ୍ରାହୀଙ୍କ ସହ ଆଲୋଚନା କରିବା ସହ ସ୍ଥାନୀୟ ବାସିନ୍ଦାକୁ ସଚେତନତା କରାଇଥିଲେ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ।
Related Stories
November 24, 2024
November 24, 2024