ପିପିଲି– ପୁରୀ-ଭୁବନେଶ୍ୱର ୩୧୬ ନଂ ଜାତୀୟ ରାଜପଥର ପୁରୀ ଜିଲ୍ଲା ପିପିଲି ଥାନା ଅନ୍ତର୍ଗତ ସାତଶଙ୍ଖ ଠାରେ ପ୍ରତି ମଙ୍ଗଳବାର ଓ ଶନିବାର ସପ୍ତାହରେ ଦୁଇ ଥର ହାଟ ବସିଥାଏ । ଏହି ହାଟରୁ ପନିପରିବା ସାଙ୍ଗକୁ ଚାଉଳ, ଡାଲି, ଅଟା, ସୁଜି ଆଦି ଗ୍ରୋସରୀ ସାମଗ୍ରୀ ଏବଂ ମାଛ, ଶୁଖୁଆ କିଣିବା ପାଇଁ ଲୋକଙ୍କ ଭିଡ଼ ହୋଇଥାଏ । ହେଲେ ଆଜି ହାଟରେ ଅନ୍ୟ ଦିନ ମାନଙ୍କ ଅପେକ୍ଷା ଭିଡ଼ ଦୁଇ ଗୁଣ ଥିଲା । ଆଜି କୌଣସି ପୂଜା ପାର୍ବଣର ପୂର୍ବ ଦିନ ନଥିଲା । ହେଲେ ଆଜି ବାଇକ୍ ରଖିବାକୁ ଜାଗା ନଥିଲା । ଅଧିକାଂଶ ଲୋକେ ଜାତୀୟ ରାଜପଥ କଡ଼ରେ ବାଇକ୍ ରଖି ହାଟ କରିବାକୁ ଯାଉଥିବା ଦେଖିବାକୁ ମିଳିଥିଲା ।
ଲକ୍ ଡାଉନ୍ ପ୍ରଭାବରେ ଆଜି ତିନି ଘଂଟା ମଧ୍ୟରେ ହାଟରୁ ପ୍ରାୟ ସମସ୍ତ ପନିପରିବା ଖାଲି ହୋଇଯାଇଥିଲା । ଅଧିକାଂଶ ବ୍ୟବସାୟୀ ତିନି ଘଂଟା ମଧ୍ୟରେ ସେମାନଙ୍କ ବ୍ୟବସାୟ ଶେଷ କରିଥିଲେ । କରୋନା ଭୟରେ ଲୋକେ ଆବଶ୍ୟକତା ଠାରୁ ଅଧିକ ପନିପରିବା କିଣୁଥିବା ଦେଖିବାକୁ ମିଳିଥିଲା । କାଁ ଭାଁ ଦୋକାନୀ ମାନେ ମୁହଁରେ ମାସ୍କ ବ୍ୟବହାର କରିଥିବା ବେଳେ ଅଧିକାଂଶ ଲୋକ ଖୋଲା ବୁଲୁଥିଲେ । କେହି କେହି ପୁରୁଷ ଲୋକ ମୁହଁରେ ମାସ୍କ, ଗାମୁଛା ଓ ମହିଳା ମାନେ ମୁହଁକୁ କପଡ଼ାରେ ଅଧା ଆବୃତ କରି ହାଟକୁ ଆସିଥିଲେ । ହାଟ ମଧ୍ୟରେ ପରସ୍ପର ମଧ୍ୟରେ ୨ ମିଟର ଦୂରତ୍ୱ ରଖିବା ତ ଦୂରର କଥା ସ୍ଥାନେ ସ୍ଥାନେ ଭିଡ଼ ଯୋଗୁଁ ଯିବାକୁ ରାସ୍ତା ନଥିଲା । ଲୋକେ କିଣାକିଣିରେ ବ୍ୟସ୍ତ ଥିବା ପରିଲକ୍ଷିତ ହୋଇଥିଲା ।
ଯାହାକୁ ଦେଖି ଅନେକ ବରିଷ୍ଠ ନାଗରିକ ଏମାନଙ୍କୁ କିଏ ମାସ୍କ ପିନ୍ଧାଇବ ଓ ସାମାଜିକ ଦୂରତ୍ୱକୁ ମାପିବ କିଏ ବୋଲି ପ୍ରଶ୍ନ ଉଠାଇଥିଲେ । ପୋଲିସ ଉପସ୍ଥିତ ରହି ଏହାର ତଦାରଖ କରିବା ସହିତ ଲୋକଙ୍କ ମଧ୍ୟରେ ସଚେତନାତା ସୃଷ୍ଟି କରାଇପାରିଲେ ସ୍ଥିତିରେ ସୁଧାର ଆସିପାରନ୍ତା ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।