-
ସୁସ୍ଥ ହେଲେ ୭୯ ରୋଗୀ
ନୂଆଦିଲ୍ଲୀ– କୋଭିଡ୍ ୧୯ରେ ଦେଶରେ ଗତ ୨୪ ଘଂଟାରେ ୧୪୯ ନୂତନ ମାମଲା ସାମ୍ନାକୁ ଆସିଛି ଏବଂ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି । ଏହା ସହିତ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୯କୁ ବୃଦ୍ଧି ଘଟିଛି । ଅନ୍ୟପଟେ ଦେଶରେ କୋଭିଡ୍ ୧୯ର ମାମଲା ୭୨୪ରୁ ବଢି ୮୭୩ରେ ପହଂଚିଛି । ଏଥିରୁ ୪୭ ରୋଗୀ ବିଦେଶୀ ଅଟନ୍ତି । ସଂପ୍ରତି ଆଶ୍ୱସ୍ତିକର କଥା ଏହା ଯେ, କରୋନା ସଂକ୍ରମିତ ୭୯ ରୋଗୀ ସୁସ୍ଥ ହୋଇ ସାରିଛନ୍ତି ।
ଅନ୍ୟପଟେ ମହାରାଷ୍ଟ୍ର ଓ କେରଳ ଏହି ଦୁଇଟି ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢିବାରେ ଲାଗିଛି । ଗତ ୨୪ ଘଂଟାରେ କେରଳରେ କରୋନାର ୩୬ ନୂତନ ମାମଲା ସାମ୍ନାକୁ ଆସିଥିବା ବେଳେ ଏହି ରାଜ୍ୟରେ ରୋଗୀଙ୍କ ସଂଖ୍ୟା ୧୨୯ ରୁ ବୃଦ୍ଧି ଘଟି ୧୬୫ରେ ପହଂଚିଛି । ସେହି ପରି ମହାରାଷ୍ଟ୍ରରେ ୫୦ ଜଣ ନୂତନ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ଏଠାରେ ମୋଟ୍ ରୋଗୀଙ୍କ ସଂଖ୍ୟା ୧୭୭ରେ ପହଂଚିଛି । ଏବେ ପ୍ରାୟ ସବୁ ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ବଢୁଥିବା ଦେଖିବାକୁ ମିଳିଛି ।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଏବେ ଦେଶରେ ୨୭ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳରେ କରୋନା ଭାଇରସ ରୋଗୀ ଚିହ୍ନଟ ହୋଇ ସାରିଲେଣି । ଆଣ୍ଡାମାନ ନିକୋବରରେ ୨, ଆନ୍ଧ୍ର ପ୍ରଦେଶରେ, ୧୪, ବିହାରରେ ୯, ଛତିଶଗଡରେ ୬, ଦିଲ୍ଲୀରେ ୩୮, ଗୋଆରେ ୩, ଗୁଜରାଟରେ ୪୪, ହରିୟାଣାରେ ୧୯, ହିମାଚଳ ପ୍ରଦେଶରେ ୩, କର୍ଣ୍ଣାଟକରେ ୫୫, କେରଳରେ ୧୬୫, ମଧ୍ୟ ପ୍ରଦେଶରେ ୩୦, ମହାରାଷ୍ଟ୍ରରେ ୧୭୭, ମଣିପୁରରେ ୧, ମିଜୋରାମରେ , ଓଡିଶାରେ ୩, ପୁଡୁଚେରୀରେ ୧, ପଞ୍ଜାବରେ ୩. ରାଜସ୍ଥାନରେ ୪୬, ତାମିଲନାଡୁରେ ୩୨, ତେଲେଙ୍ଗାନାରେ ୩୮, ଚଣ୍ଡିଗଡରେ ୭, ଜାମ୍ମୁ-କାଶ୍ମୀରରେ ୧୮, ଲଦାଖରେ ୧୩, ଉତର ପ୍ରଦେଶରେ ୪୪, ଉତରାଖଣ୍ଡରେ ୪ ତଥା ପଶ୍ଚିମବଙ୍ଗରେ ୧୫ ରୋଗୀ ଚିହ୍ନଟ ହୋଇଛନ୍ତି ।