କଣାସ– ପୁରୀ ଜିଲ୍ଲାର ଚିଲିକା ଉପକୂଳରେ ଅବସ୍ଥାପିତ କଣାସ ବ୍ଲକରେ ବର୍ଷସାରା ପାନୀୟ ଜଳ ସମସ୍ୟା ଲାଗିରହୁଥିବାବେଳେ ରୈାଦ୍ରତାପ ସମୟରେ ଏହା ଏପରି ଉଗ୍ରରୂପ ଧାରଣ କରେଯେ ଜିଲ୍ଲା ଓ ବ୍ଲକ ପ୍ରଶାସନର ମୁଣ୍ଡ ବ୍ୟଥାର କାରଣ ହୋଇପଡେ ।
ଖବର ନେବାରେ ଜଣାପଡିଛି, କଣାସ ବ୍ଲକର ୨୮ଟି ଗ୍ରାମପଚାଂୟତର ୧୩୯ ରାଜସ୍ୱ ଗ୍ରାମ ଓ ୧୦୮ଟି ପଡା ଗ୍ରାମର ୧ ଲକ୍ଷ ୬୦ ହଜାର ଜନସାଧାରଣଙ୍କ ପାନୀୟ ଜଳ ବ୍ୟବହାର ପାଇଁ ଗ୍ରାମ୍ୟ ଜଳଯୋଗାଣ ପକ୍ଷରୁ ୯୦୦ଟି ନଳକୂପ ଏବଂ ୬୦ଟି ଗଭୀର କୂପ ଖନନ କରାଯାଇଥିଲା । ସେଥିମଧ୍ୟରୁ ଅର୍ଦ୍ଧାଧିକ ନଳକୂପରେ ଉତ୍କଟ ଲୁଣାପାଣି ବାହାରିବାରୁ ତାହା ପାନୀୟ ଅନୁପଯୋଗୀ ହେବାରୁ ଧିରେ ଧିରେ ସେ ଅଚଳ ହୋଇପଡିଲା । ଆଉ ଯେଉଁ କେତୋଟି ନଳକୂପ କାର୍ଯ୍ୟ କରୁଥିଲା ଭୂତଳ ଜଳ ପତନ ହ୍ରାସ ଯୋଗୁ ଉକ୍ତ ନଳକୂପରୁ ବାଲି, ଗୋଡିମିଶା ପଙ୍କୁଆପାଣି ବାହାରୁଥିରୁ ତାହା ପାନୀୟ ଅନୁପଯୋଗୀ ହୋଇପଡିଥିବାରୁ ବର୍ତମାନ କଣାସ ବ୍ଲକରେ ପାନୀୟ ଜଳ ସମସ୍ୟା ଉତ୍କଟ ହୋଇପଡିଛି । ଜନସାଧାରଣ ବାଧ୍ୟ ହୋଇ ନଦୀ ଓ ପୋଖରୀର ଦୂଷିତ ଜଳ ବ୍ୟବହାର କରୁଛନ୍ତି । ଏଥିଯୋଗୁଁ ଅନେକ ଲୋକ ପେଟ ରୋଗରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ଟ୍ୟାଙ୍କର ଯୋଗେ ପନୀୟ ଜଳ ଯୋଗାଇବା ପାଇଁ ବାରମ୍ବାର ଗ୍ରାମବାସୀମାନେ ବି.ଡି.ଓ ଓ ଜଳଯୋଗାଣ କନିଷ୍ଠ ଯନ୍ତ୍ରୀଙ୍କ ନିକଟରେ ଦାବି କରି ଆସୁଛନ୍ତି । ପାନୀୟ ଜଳ ଯୋଗାଇବା ପାଇଁ କେତୋଟି ହାତ ଗଣତି ପାଇପ୍ ଜଳ ଯୋଗାଣ ପ୍ରକଳ୍ପ ବସିଥିଲେ ମଧ୍ୟ ନଦୀର ଜଳପତନ ହ୍ରାସ ସାଙ୍ଗକୁ ନଦୀ ଜଳ ଦୂଷିତ ହେବା ପାଇପ୍ ଜଳ ପ୍ରକଳ୍ପରେ ବସିଥିବା ବିଶୋଧୋନ ଫ୍ଲିଟର ଗୁଡିକ ନିମ୍ନ ମାନର ହୋଇଥିରୁ ସେଗୁଡିକ ଅଚଳ ହୋଇ ପଡିବା ଯୋଗୁ ନଦୀର ଦୂଷିତ ଜଳ ସିଧା ସଳଖ ଲୋକମାନଙ୍କ ପାଖରେ ପହଂଚୁଥିବାର ଅଭିଯୋଗ ହେଉଛି । ଯେଉଁଥିପାଇଁ ଅଧିକାଂଶ ଲୋକେ ତାହାକୁ ପାନୀୟ ରୂପେ ବ୍ୟବହାର କରୁନଥିବା ଜଣାପଡିଛି ।
ଏ ସମ୍ପର୍କରେ କଣାସ ବ୍ଲକ ପାନୀୟ ଜଳ ପ୍ରକଳ୍ପର କନିଷ୍ଠ ଯନ୍ତ୍ରୀ ରଞ୍ଜନ କୁମାର ସାମନ୍ତରାୟଙ୍କୁ ପଚାରିବାରୁ ସେ କୁହନ୍ତି ସରକାରଙ୍କ ନିର୍ଦ୍ଦେଶ ଅଛି ଅପ୍ରେଲ ୧ ତାରିଖ ଠାରୁ ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଣ କରାଯିବ ।