-
୬୫ ହଜାର ଷ୍ଟ୍ରିଟ୍ ଭେଣ୍ଡରଙ୍କୁ ମିଳିବ ୩ ହଜାର ଟଙ୍କା
-
୧୦ ଲକ୍ଷ ଗରିବ ଓ ନିରାଶ୍ରୟଙ୍କୁ ଦିଆଯିବ ରନ୍ଧାଖାଦ୍ୟ
ଭୁବନେଶ୍ୱର – କରୋନା ମୁକାବିଲା ପାଇଁ ଲକ୍ ଡାଉନ୍ ଘୋଷଣା ଫଳରେ ଗରିବ ଏବଂ ଶ୍ରମିକ ଶ୍ରେଶୀ ଲୋକଙ୍କର ଜୀବନ ଜୀବିକା ପ୍ରଭାବିତ ହୋଇଛି । ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୧୧୪ଟି ପୌରାଂଚଳରେ ଥିବା ଦୋକାନୀ (ଷ୍ଟ୍ରିଟ୍ ଭେଣ୍ଡର) ମାନଙ୍କ ପାଇଁ ୩ହଜାର ଟଙ୍କା ଲେଖାଏଁ ସହାୟତା ଦେବାକୁ ଘୋଷଣା କରିଛନ୍ତି । ଏହା ଦ୍ୱାରା ରାଜ୍ୟର ୬୫,୦୦୦ ରେଜିଷ୍ଟ୍ରିଭୁକ୍ତ ଷ୍ଟ୍ରିଟ୍ ଭେଣ୍ଡର ଉପକୃତ ହେବେ ।
ସେହିପରି ପ୍ରତି ପଂଚାୟର ଶହେରୁ ଦୁଇ ଶହ ପର୍ଯ୍ୟନ୍ତ ଗରିବ ଲୋକଙ୍କ ପ୍ରତିଦିନ ରନ୍ଧାଖାଦ୍ୟ ଯୋଗାଇ ଦିଆଯିବ । ସ୍ୱଂୟ ସହାୟକ ଗୋଷ୍ଠୀଙ୍କ ଜରିଆରେ ଏହି କାର୍ଯ୍ୟ କରାଯିବ ଏବଂ ଲୋକମାନେ ରନ୍ଧା ଖାଦ୍ୟ ଘରକୁ ନେଇ ଖାଇ ପାରିବେ । ଏହା ଦ୍ୱାରା ଦଶ ଲକ୍ଷ ଗରିବ ଓ ନିରାଶ୍ରୟ ଲୋକ ଉପକାର ପାଇବେ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କରୋନା ବିରୋଧରେ ଆମର ସଂଗ୍ରାମକୁ ଆହୁରି ଜୋରଦାର କରାଯାଇଛି । ଲୋକମାନଙ୍କୁ ଘର ବାହାରକୁ ନଆସିବାକୁ ଅନୁରୋଧ କରାଯାଇଛି । କେବଳ ଘରେ ରହିବା ଦ୍ୱାରା ହିଁ ଆମେ ଏସଂଗ୍ରାମକୁ ଜିତି ପାରିବା । ଘରେ ରହି ସାବୁନ୍ ରେ ହାତ ଧୋଇ କରୋନାକୁ ହରାଇବା ପାଇଁ ମୁଖ୍ୟମନ୍ତ୍ରୀ ପୁଣି ଥରେ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି ।
ସୂଚନାଯୋଗ୍ୟ ଯେ ଗତକାଲି ମୁଖ୍ୟମନ୍ତ୍ରୀ କରୋନା ପାଇଁ ୨୨୦୦ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଥିଲେ । ଖାଦ୍ୟ ସୁରକ୍ଷା ଯୋଜନାରେ ସମସ୍ତ ହିତାଧିକାରୀମାନଙ୍କୁ ରାଜ୍ୟ ସରକାର ୩ ମାସର ଆଗୁଆ ରାସନ୍ ସହ ଏହି ଯୋଜନାର ସମସ୍ତ ୯୪ ଲକ୍ଷ ପରିବାରଙ୍କୁ ରାଜ୍ୟ ସରକାର ୧ ହଜାର ଟଙ୍କା ଲେଖାଏଁ ସହାୟତା ଯୋଗାଇ ଦେବାକୁ ଘୋଷଣା କରିଥିଲେ । ଏଥିରେ ୯୪୦ କୋଟି ଟଙ୍କା ଖର୍ଚ୍ଚ ହେବ । ସେହିପରି ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାର ୪୮ ଲକ୍ଷ ହିତାଧିକାରୀଙ୍କୁ ଆଗୁଆ ୪ ମାସର ଭତା ଦିଆଯାଉଛି । ଏଥିପାଇଁ ୯୩୨ କୋଟି ଟଙ୍କା ଖର୍ଚ୍ଚ ହେବ । ଅନ୍ୟପକ୍ଷରେ ୨୨ ଲକ୍ଷ ନିର୍ମାଣ ଶ୍ରମିକଙ୍କୁ ୧୫୦୦ ଟଙ୍କା ଲେଖାଏଁ ସହାୟତା ଦିଆଯିବ । ଏଥିରେ ୩୩୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ।