

ବ୍ରହ୍ମପୁର: ଲକ୍ଡାଉନ୍ରେ କାର୍ଯ୍ୟରତ ପୋଲିସ କର୍ମଚାରୀଙ୍କୁ ନ୍ୟୁ ବିରିୟାନୀ ସେଣ୍ଟର ପକ୍ଷରୁ ରନ୍ଧାଖାଦ୍ୟ ବଣ୍ଟନ କରାଯାଇଛି । ସେଣ୍ଟରର ମୁଖ୍ୟ ଏସ୍.ଏ ରସିଦ, ଏସ୍.ଏ ସାକିଲ ଓ ଏସ୍.ଏ ଖାଲିଲ୍ ନିଜ କର୍ମଚାରୀଙ୍କୁ ନେଇ ସହରର ବିଭିନ୍ନ ସ୍ଥାନରେ ଜଗି ରହିଥିବା ସଶସ୍ତ୍ର ୨୫୦ରୁ ଊର୍ଦ୍ଧ୍ୱ ପୋଲିସ କର୍ମଚାରୀଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରିଥିଲେ । କରୋନା ଭୁତାଣୁ ସଂକ୍ରମଣକୁ ରୋକିବା ପାଇଁ ସହରରେ ଲକ୍ଡାଉନ୍ ଜାରି ରହିଥିବା ବେଳେ ଏଥିରେ କାର୍ଯ୍ୟରତ ପୋଲିସ କର୍ମଚାରୀମାନଙ୍କ ଖାଇବା ଓ ପାନୀୟ ଜଳ ପାଇଁ ବହୁ ଅସୁବିଧା ଉପୁଜୁଥିଲା । ଏହାକୁ ନଜରରେ ରଖି ନ୍ୟୁ ବିରିୟାନୀ ସେଣ୍ଟର ମାଲିକ ବ୍ରହ୍ମପୁର ପୋଲିସ ସହ ଆଲୋଚନାକରି ସହରର ବିଭିନ୍ନ ଟ୍ରାଫିକ୍ ଛକ ଓ ବିଭିନ୍ନ ପ୍ରବେଶପଥରେ ଅସ୍ଥାୟୀ କ୍ୟାମ୍ପକରି ଜଗି ରହିଥିବା ପୋଲିସ କର୍ମଚାରୀଙ୍କୁ ଏହି ଖାଦ୍ୟ ବଣ୍ଟନ କରାଯାଇଥିଲା । ଖାଦ୍ୟ ବଣ୍ଟନକୁ ନେଇ ନ୍ୟୁ ବିରିୟାନୀ ସେଣ୍ଟରର କର୍ମକର୍ତ୍ତାଙ୍କୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି ।