-
ବାହାରେ ବୁଲୁଥିବା ଲୋକେ ସାବଧାନ
-
ସ୍ଥିତି ଅନୁଧ୍ୟାନ କଲେ ବ୍ରହ୍ମପୁର ଏସ୍ପି
ବ୍ରହ୍ମପୁର,: ମାରାତ୍ମକ କରୋନା ଭୂତାଣୁ ନେଇ ସାରା ବିଶ୍ୱରେ ଆତଙ୍କ ଖେଳିଯାଇଥିବା ନେଇ ଚିନ୍ତିତ ଥିବା ବେଳେ ଲକ୍ଡାଉନ୍ ସତ୍ତ୍ୱେ ସହରରେ ଜନ ଗହଳି ଦେଖାଦେବାରୁ ପୁଲିସ ପାଟ୍ରୋଲିଂ କଡ଼ାକଡ଼ି କରାଯାଇଛି । ଅତ୍ୟାବଶ୍ୟକୀୟ ସାମଗ୍ରୀ ଯଥା-ଔଷଧ, ପରିବା ଓ ତେଜରାତି ସାମଗ୍ରୀ କିଣିବା ସମୟରେ ସାମାଜିକ ଦୂରତ୍ୱ ଦେଖିବାକୁ ମିଳିଥିଲା । ପୁଲିସ ଉପସ୍ଥିତ ରହି ସବୁ ଦୋକାନ ଆଗରେ ଟଣା ଯାଇଥିବା ଗୋଲେଇ ଭିତରେ ରହି ସାମଗ୍ରୀ କିଣିବାକୁ ପରାମର୍ଶ ଦେଇଥିଲେ । ପୂର୍ବପେକ୍ଷା ଲୋକ ମଧ୍ୟ ଏବେ ବୁଝିବାରେ ଲାଗିଛନ୍ତି ଏବଂ ସଚେତନ ହେଉଛନ୍ତି । ଯାହାଫଳରେ ଆଜି ଲକ୍ଡାଉନ୍ର ପ୍ରଭାବ ଦେଖିବାକୁ ମିଳିଛି । ଦିନ ୧୨ଟା ପରେ ସହର ଶୂନ୍ଶାନ୍ ହୋଇଯାଇଛି । ଏମିତିକି ଦିନ ୧୨ଟା ପରେ ଔଷଧ ଦୋକାନରେ ମଧ୍ୟ ଗ୍ରାହକ ନଥିବା ଦେଖିବାକୁ ମିଳିଥିଲା । ସେପଟେ ଲୋକ ଲକ୍ ଡାଉନ୍ କଟକଣାକୁ ଅବମାନନା କରୁଥିବାରୁ ବ୍ରହ୍ମପୁର ସହରରେ ପୁଲିସ ପାଟ୍ରୋଲିଂକୁ କଡ଼ାକଡ଼ି କରାଯାଇଛି । ରାସ୍ତାରେ ଦେଖିବା ମାତ୍ରେ ଲୋକଙ୍କୁ ଘଉଡ଼ାଉଛି ପୁଲିସ । ବ୍ରହ୍ମପୁର ଏସ୍ପି ପିନାକ ମିଶ୍ର ନିଜେ ପାଟ୍ରୋଲିଂ କରିବା ସହ ବାହାରେ ବୁଲୁଥିବା ଲୋକଙ୍କୁ ଘରେ ରହିବାକୁ ନିବେଦନ କରିଥିଲେ । ଏସପି ବିଭିନ୍ନ ଜାଗାରେ ପାଟ୍ରୋଲିଂ କରିବା ସହ ଡ୍ରୋନ୍ କ୍ୟାମେରାରେ ସ୍ଥିତି ଅନୁଧ୍ୟାନ କରିଥିଲେ । ଲକ୍ଡାଉନ୍ କଟକଣାଙ୍କୁ ମାନୁନଥିବା ଲୋକଙ୍କ ବିରୋଧରେ ପୁଲିସ ତିନି ଦିନ ହେଲା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି । ପ୍ରଥମ ଦିନରେ ୪୨ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବା ବେଳେ ତୃତୀୟ ଦିନ ଅର୍ଥାଥ ଗୁରୁବାର ପୁଣି ୪୪ଜଣଙ୍କ ନାମରେ ମାମଲା ରୁଜୁ କରିଛି ପୁଲିସ । ବୈଦ୍ୟନାଥପୁର ଥାନାରେ ଗୋଟିଏ କେସ୍ରେ ୬ଜଣ, ଟାଉନ୍ ଥାନାରେ ୬ଜଣଙ୍କ ନାମରେ ଗୋଟିଏ କେସ୍, ବଡ଼ ବଜାର ଥାନାରେ ୪ଜଣଙ୍କ ନାମରେ ଗୋଟିଏ ମାମଲା ଏବଂ ଗୋସାଇଁନୂଆଗାଁ ଥାନାରେ ୨୦ଜଣଙ୍କ ନାମରେ ୨ଟି ମାମଲା ରୁଜୁ କରାଯାଇଛି । ପରବର୍ତ୍ତୀ ସମୟରେ ଲୋକଙ୍କ ଠାରୁ ଜରିମାନା ମଧ୍ୟ ଆଦାୟ କରାଯିବ ବୋଲି ଏସପି ପିନାକ ମିଶ୍ର କହିଛନ୍ତି । କରୋନାକୁ ରୋକିବାକୁ ହେଲେ ଏହାର ଗୋଟିଏ ମାତ୍ର ଔଷଧ ଘରେ ରହିବ । ଘର ଠାରୁ ସୁରକ୍ଷିତ ଜାଗା ଆଉ କୋଉଠି ବି ନାହିଁ । କୌଣସି ବାହାନରେ ଘରୁ ବାହାରନ୍ତୁ ନାହିଁ । ଦେଶର ସୈନିକ ହୋଇ ସମସ୍ତଙ୍କ ସୁରକ୍ଷା ପାଇଁ କାମ କରନ୍ତୁ ବୋଲି କହିଛନ୍ତି । ସନ୍ଧ୍ୟାରେ ଏସ୍ପି ପିନାକ ମିଶ୍ର ନିଜ ପୁଲିସ ଟିମ୍କୁ ଧରି ସହର ସାରା ପେଟ୍ରୋଲିଂ କରୁଥିବା ଦେଖିବାକୁ ମିଳିଥିଲା ।