ମାଲକାନଗିରି – ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା କୁଡୁମୁଲୁଗୁମ୍ମା ଗସ୍ତରେ ଆସି ପଦୀୟାପାଲୀ, ଲକଟିଗୁଡା ଓ ଅନ୍ୟାନ୍ୟ ସମସ୍ତ ଗ୍ରାମାଞ୍ଚଳକୁ ଯାଇ ଲୋକମାନଙ୍କର ସମସ୍ୟା ପଚାରି ବୁଝିଥିଲେ । ଗାଁ ଗୁଡିକରେ ରହିଥିବା ବିଭିନ୍ନ ମୌଳିକ ସମସ୍ୟା ଶିକ୍ଷା, ସ୍ୱାସ୍ଥ୍ୟ, ଜଳ, ବିଦ୍ୟୁତ, ରାସ୍ତା ପରି ସମସ୍ୟାକୁ ଗୁରୁତ୍ଵ ଦେଇ ତୁରନ୍ତ ପଦକ୍ଷେପ ନେବେ ବୋଲି କହିଥିଲେ । ପ୍ରତ୍ୟେକ ଗାଁ ମହିଳାମାନଙ୍କ ସମସ୍ୟା ଓ ଗ୍ରାମାଞ୍ଚଳର ସମସ୍ୟା ଉପରେ ଆଲୋଚନା କରିଥିଲେ । ସେ ନିର୍ବାଚନ ଜିତି ଆସିବା ପରଠାରୁ ନିଜ ନିର୍ବାଚନ ମଣ୍ଡଳୀର ଲୋକଙ୍କ ସମସ୍ୟା ପାଇଁ ସଦାସର୍ବଦା ଆଗେଇ ଆସୁଛନ୍ତି । ଅଳ୍ପ କେଇ ମାସ ମଧ୍ୟରେ ସେ ଲୋକମାନଙ୍କ ବେଶ୍ ନିକଟତର ହୋଇପାରିଥିବାରୁ ଲୋକମାନଙ୍କ ମଧ୍ୟରେ ଖୁସିର ମାହୋଲ ଦେଖିବାକୁ ମିଳିଥିଲା । ବିଧାୟକ ସକାଳୁ ବାହାରି ପ୍ରତ୍ୟେକ ଗ୍ରାମରେ ବୁଲି ଲୋକମାନଙ୍କୁ ଘରୁ ଡାକି କଣ ସବୁ ସମସ୍ୟା ରହିଛି ପଚାରି ବୁଝିବାର ଦେଖାଯାଇଥିଲା ।
ବିଧାୟକଙ୍କୁ ତାଙ୍କର ଏପରି କାର୍ଯ୍ୟ ବିଷୟରେ ପଚାରିବାରୁ ସେ କହିଥିଲେ, ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶକୁ ଲକ୍ଷ୍ୟ କରି ମାକୁ ସମ୍ମାନ ଗାଁକୁ କାମ ପ୍ରତି ଅନୁପ୍ରାଣିତ ହୋଇ ସେ ଲୋକ ସେବାରେ ସଦାସର୍ବଦା ରହି କାମ କରିବାକୁ ଚାହାଁନ୍ତି । ଏହି ଅବସରରେ କୁଡୁମୁଲୁଗୁମ୍ମା ବ୍ଲକ ପୁନଃ ସ୍ଥାପିତ ପାଇଁ ପୁଣି ଥରେ ସେ ପ୍ରତିଶୃତି ଦେଇଛନ୍ତି ।